
ମସ୍କଟ (ଓମାନ), 18 ଡିସେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବିଧତାକୁ
ଭାରତୀୟ ସଂସ୍କୃତିର ମୂଳଦୁଆ ବୋଲି ବର୍ଣ୍ଣନା କରି, ଗୁରୁବାର କହିଛନ୍ତି
ଯେ ଏହା ଏକ ଏମିତି ମୂଲ୍ୟ, ଯାହା ତାଙ୍କୁ କୌଣସି ସମାଜରେ ସହଜରେ ମିଶିଯିବାରେ
ସାହାଯ୍ୟ କରେ। ଓମାନରେ ଭାରତୀୟ ସମୁଦାୟ ପ୍ରତି ମିଳୁଥିବା ସମ୍ମାନର ଉଲ୍ଲେଖ କରି
ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ସହ-ଅସ୍ତିତ୍ୱ ଓ ସହଯୋଗ ଭାରତୀୟ ପ୍ରବାସୀ
ସମୁଦାୟର ପରିଚୟ ଅଟେ । ପ୍ରବାସୀ ଭାରତୀୟମାନଙ୍କର କଲ୍ୟାଣ ପ୍ରତି ଭାରତର ଗଭୀର ପ୍ରତିବଦ୍ଧତା
ବ୍ୟକ୍ତ କରି, ସେ କହିଛନ୍ତି ଯେ ଯେତେବେଳେ ଓ ଯେଉଁଠି ଆମ ଲୋକମାନଙ୍କୁ ସାହାଯ୍ୟର
ଆବଶ୍ୟକତା ପଡ଼େ, ସରକାର ସେମାନଙ୍କ ସହାୟତା ପାଇଁ ସର୍ବଦା ପ୍ରସ୍ତୁତ ରହେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ଭାରତ ଓ
ଓମାନ ମଧ୍ୟରେ ମାଣ୍ଡଭୀରୁ ମସ୍କଟ ପର୍ଯ୍ୟନ୍ତ ଶତାବ୍ଦୀ ପୁରୁଣା ସମ୍ପର୍କ ରହିଛି ଏବଂ ପ୍ରବାସୀ
ସମୁଦାୟ ନିଜର କଠିନ ପରିଶ୍ରମ ଓ ଏକତା ମାଧ୍ୟମରେ ଏହାକୁ ପୋଷଣ କରୁଛି। ସମୁଦାୟର କଲ୍ୟାଣ ପାଇଁ
ସୁଲତାନ ହାଇଥମ ବିନ୍ ତାରିକଙ୍କ ସମର୍ଥନ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଆଜି ଓମାନର ମସ୍କଟରେ ଭାରତୀୟ ସମୁଦାୟର ଏକ ବିଶାଳ
ସଭାକୁ ସମ୍ବୋଧନ କରିଛନ୍ତି । ଶ୍ରୋତାମାନଙ୍କ ମଧ୍ୟରେ ବିଭିନ୍ନ ଭାରତୀୟ ବିଦ୍ୟାଳୟର 700ରୁ
ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ। ଓମାନରେ ଥିବା ଭାରତୀୟ ବିଦ୍ୟାଳୟମାନଙ୍କ ପାଇଁ ଏହି ବର୍ଷ
ବିଶେଷ ଗୁରୁତ୍ୱ ରଖେ, କାରଣ ସେମାନେ
ଦେଶରେ ନିଜର ସ୍ଥାପନାର 50 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା