
କୋରେଇ, ୧୯ ଡିସେମ୍ବର (ହି.ସ.) - ଅବୈଧ ବାଲି ଉତୋଳନ ଓ ଚୋରା ଚାଲାଣ ସମ୍ବଦ୍ଧୀୟ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । କୋରେଇ ବ୍ଲକ ମିଳିତ ଜନଶୁଣାଣୀରେ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଥିଲା । ତଦନୁଯାୟୀ ଗୁରୁବାର ରାତ୍ରୀରେ ବ୍ୟାସନଗର ତହସିଲ, ଖଣି ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ ହୋଇଥିଲା । କୋରେଇ ଥାନା ଅନ୍ତର୍ଗତ ବୈତରଣୀ ନଦୀର ରଣପୁର, ମଥୁରାପୁର ବ୍ରିଜ, ନିଶଙ୍ଗପୁର ଠାରେ ଚଢାଉ କରାଯିବା ସହ ବରୁଣ୍ଡାଇ ଓ ସଠିପୁର ଠାରେ ଚଢାଉ କରାଯାଇଥିଲା । ଚଡାଉ ସମୟରେ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟିପର ( ଓଆର୦୯ଜେ୫୬୬୪, ଓଆର ୦୯କେ ୪୬୮୬ ଓ ୩ଟି ହାଇୱା( ଓଆର ୨୨ଆର ୨୨୬୬, ଓଡି ୦୯କେ ୧୭୭୬, ଓଡି ୨୨ କେ ୨୨୯୫)ଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଜବତ ଗାଡି ଗୁଡିକୁ ପାଣିକୋଇଲି ଥାନା ଜିମା ଦିଆଯାଇଛି । ଏଥି ସହିତ ଜଣେ ହାଇସ୍ୱା ମାଲିକ ସ ହ୍ରାଇଭରକୁ ଅଟକ ରଖାଯାଇଛି । ଏହି ଚଢାଉରେ ଖଣିବିଭାଗ ଜୁନିୟର ମାଇନିଂଗ ଅଫିସର ବିଶ୍ୱଜିତ ସ୍ୱାଇଁ, ଛାୟାକାନ୍ତ ମହାନ୍ତ, ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, କୋରେଇ ଥାନାଧିକାରୀ ରାକେଶ ତ୍ରୀପାଠୀ ଓ ପାଣିକୋଇଲି ପୁଲିସ ସହ ପୁଲିସ ମୁଖ୍ୟାଳୟର କର୍ମଚାରୀ ସାମିଲ ହୋଇଥିଲେ । ଅପରପକ୍ଷେ ଏହି ଚଢାଉ ଫଳରେ ଅନେକ ଗାଡି ଭୟଭୀତ ହୋଇ ରାସ୍ତା କଡରେ ଓ ରାସ୍ତା ଉପରେ ବାଲି ଢାଳି ପଳାଇଥିବା ଦେଖାଯାଇଥିଲା । ବରୁଣ୍ଡାଇ ମହାବିଦ୍ୟାଳୟ ନିକଟ, ବରୁଣ୍ଡାଇ ବଜାର ରେଲୱେ ରାସ୍ତା ଓ ବିଭିନ୍ନ ରାସ୍ତାରେ ବାଲି ଢଳାଯାଇଥିବା ଦେଖିବାକୁ ମିଳିଛି । ଫଳରେ ଆଜି ଏହି ସବୁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଚୋରା ଚାଲାଣକାରୀ ନିଜକୁ ବଂଚାଇବାକୁ ରାସ୍ତାରେ ସିନା ବାଲି ଢାଳି ପଳାଇଥିଲେ । କିନ୍ତୁ ଏହା ଦ୍ୱାରା ଜନସାଧାଣରଙ୍କର କି ଅସୁବିଧା ହେଉଛି ସେ ଦିଗରେ ସେ ଧ୍ୟାନ ଦେଇନଥିଲେ । ରାସ୍ତା ସାରା କୁଢ କୁଢ ବାଲି ଢଳାଯାଇଥିବା ବେଳେ ପ୍ରଶାସନ ମଧ୍ୟ ସେ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଜିଲ୍ଲା ପ୍ରଶାସନର ଏଭଳି ଅର୍ତର୍କିତ ଚଢାଉ କେବଳ ଅଭିଯୋଗ ପରେ ଲୋକଦେଖାଣିଆ ବୋଲି ମତ ପ୍ରକାଶ ପାଇଛି । କେତେ ଦିନ ଚଢାଉ ଜାରି ରହିବ ଓ କେତେ ଗାଡି ଧରାହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଚଢାଉକୁ ସାଧାଣରେ ସ୍ୱାଗତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ