
ନୂଆପଡ଼ା, ୧୯ ଡିସେମ୍ବର (ହି.ସ.) - ୫ ଦିନ ବ୍ୟାପୀ ଚାଲିଥିବା ୪୦ ଘଂଟାର ମଧ୍ୟସ୍ଥତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର?୍ୟ୍ୟନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ମାନସ ରଞ୍ଜନ ପାଠକ ଆଭାସୀ ମାଧ୍ୟମରେ ଏହି ଉଦଯାପନୀ ସମାରୋହରେ ସମସ୍ତଂକୁ ସମ୍ବୋଧିତ କରି, ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ କମ ଖର୍ଚ୍ଚ, ସମୟସାପେକ୍ଷ ଏବଂ ଲୋକକୈନ୍ଦ୍ରିକ ପଦ୍ଧତି ବୋଲି କହିଥିଲେ । ମଧ୍ୟସ୍ଥତାର ବିଭିନ୍ନ ପର୍ଯ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ। ମଧ୍ୟସ୍ଥତା ମାମଲା ହ୍ରାସ କରିବାରେ ଏବଂ ସାମାଜିକ ସଦଭାବ ରକ୍ଷା କରିବା ସହିତ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ଆଲୋକପାତ କରିଥିଲେ । ଉଦଯାପନୀ ସମାରୋହରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର୍ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତାକି ଦାଶ, ଜିଲ୍ଲା ଓକିଲ ସଂଘ ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଜିଲ୍ଲା ସିଭିଲ ଓକିଲ ସଂଘ ସଭାପତି ବିଶ୍ୱମଣି ପାଣିଗ୍ରାହୀ, ସଚିବ ଦେବଦତ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ମଧ୍ୟସ୍ଥତା ଏବଂ ସମାଧାନ ପ୍ରକଳ୍ପ କମିଟି ଦ୍ୱାରା ନିଯୁକ୍ତ ବରିଷ୍ଠ ପ୍ରଶିକ୍ଷକ ତଥା ଝାଡ଼ଖଣ୍ଡରୁ ଓକିଲ ରାଜେଶ ଦାଶ ଏବଂ ଶିବ ଶଙ୍କର ପ୍ରସାଦଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିବକ୍ତା-ମଧ୍ୟସ୍ଥି ଙ୍କୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପ୍ରାଧିକରଣର ସଚିବ ନବନୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ