ଡ. ସୁଦର୍ଶନ ପୂଜାରୀଙ୍କ ସମୃଦ୍ଧ ବୌଦ୍ଧିକ କିର୍ତୀ ସର୍ବଦା ସ୍ମରଣୀୟ ରହିବ
ସମ୍ବଲପୁର, ୧୯, ଡିସେମ୍ବର (ହି.ସ.) - ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ ଦର୍ଶନଶାସ୍ତ୍ର ଗବେଷକ ତଥା କବି ଡ. ସୁଦର୍ଶନ ପୂଜାରୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧା ସମାବେଶ ଆଜି ସ୍ଥାନୀୟ ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ପ୍ରଦୀପ କୁମାର ପଣ୍ଡା ପୌରୋହିତ୍ୟ କରିଥିଲେ ।
ଡ. ସୁଦର୍ଶନ ପୂଜାରୀଙ୍କ ସମୃଦ୍ଧ ବୌଦ୍ଧିକ କିର୍ତ୍ତୀ ସର୍ବଦା ସ୍ମରଣୀୟ  ରହିବ


ସମ୍ବଲପୁର, ୧୯, ଡିସେମ୍ବର (ହି.ସ.) - ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ ଦର୍ଶନଶାସ୍ତ୍ର ଗବେଷକ ତଥା କବି ଡ. ସୁଦର୍ଶନ ପୂଜାରୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧା ସମାବେଶ ଆଜି ସ୍ଥାନୀୟ ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ପ୍ରଦୀପ କୁମାର ପଣ୍ଡା ପୌରୋହିତ୍ୟ କରିଥିଲେ । ସମାବେଶରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡ. ପୂଜାରୀଙ୍କ ବାଲ୍ୟବନ୍ଧୁ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ, ସୁଦର୍ଶନ ପୂଜାରୀଙ୍କୁ ଭୁଲି ହେବ ନାହିଁ । ତାଙ୍କ ଦ୍ୱାରା ପ୍ରେରଣା ପାଇଥିବା ଅନେକ ଛାତ୍ରଛାତ୍ରୀ ଆଜି ଯଶ ଲାଭ କରିଛନ୍ତି । ଡ. ପୂଜାରୀଙ୍କ ବନ୍ଧୁତ୍ୱରେ ଆତ୍ମିକ ରହିଥିଲା । ସେ ଅଧ୍ୟାପକ, ଗବେଷକ ଓ ଦାର୍ଶନିକ ଭାବରେ ଯୋଗ୍ୟତା ହାସଲ କରିଥିଲେ । ସେ ଅଧିକାର କରିଥିବା ପଦପଦବୀ ଚିରସ୍ଥାୟୀ ଓ ସ୍ମରଣୀୟ ହୋଇ ରହିବ । ଡ. ପୂଜାରୀଙ୍କ କୀର୍ତି ତାଙ୍କ ଜୀବନରେ ପ୍ରତିଫଳିତ ହେଉଥିଲେ ମଧ୍ୟ ପ୍ରଚାର ଓ ପ୍ରସାରରୁ ଉର୍ଦ୍ଧ୍ୱରେ ଥିଲେ । ମଣିଷ ଜୀବନରେ ଅଗ୍ରଗତି ସହିତ ନାନ୍ଦନୀକତା ରହିଲେ ବୌଦ୍ଧିକ ଅମରତ୍ୱରେ ପହôଞ୍ଚ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ । ଛାତ୍ରାବସ୍ଥାରୁ ଶବ୍ଦ ସଂଯୋଜନାରେ ଧୂରୀଣ ଥିଲେ । ଦୁଇଟି ଶବ୍ଦ ମଧ୍ୟରେ ଡ. ପୂଜାରୀ ଜୀବନକୁ ବ୍ୟାଖ୍ୟା କରିବାର ସଫଳ ହୋଇଥିଲେ ।

ଅନ୍ୟତମ ଅତିଥି ଜୀବନମୁକ୍ତାନନ୍ଦଜୀ ମହାରାଜ କହିଲେ ଯେ, ବୌଦ୍ଧିକ ସର୍ଜନା ଦୃଷ୍ଟିରୁ ଡ. ପୂଜାରୀଙ୍କ ଜୀବନ ସର୍ବଦା ଜୀବନ୍ତ ରହିଥିଲା । ସେ ଯେକୌଣସି ସେବା କାର୍ଯ୍ୟ ପାଇଁ ପଛଘୁଂଚା ଦେଉ ନଥିଲେ । ଡ. ପୂଜାରୀଙ୍କ ଛାତ୍ର ତଥା ଢ଼େଙ୍କାନାଳର ପୂର୍ବତନ ଲୋକସଭା ସଦସ୍ୟ ମହେଶ ସାହୁ କହିଲେ ଯେ, ସୁଦର୍ଶନ ପୂଜାରୀଙ୍କ ଛାତ୍ରବତ୍ସଳତା ଅବିସ୍ମରଣୀୟ ଥିଲା । ଆଚାରଣ ଓ ଉଚ୍ଚାରଣରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଡ. ପୂଜାରୀ ଦେଖି ପାରୁଥିଲେ । ବଡ଼ ନୁହେଁ, ଭଲ ମଣିଷ ଓ ସ୍ପଷ୍ଟବାଦୀ ହେବାକୁ ସେ ଉତ୍ସାହିତ କରୁଥିଲେ ବୋଲି ଶ୍ରୀ ସାହୁ କହିଥିଲେ । ସମ୍ମାନିତ ବକ୍ତା ତଥା ସାହିତ୍ୟିକା ଡ. ସଂଘମିତ୍ରା ମିଶ୍ର କହିଲେ ଯେ, ପୂଜାରୀ ସାର୍ ଚିନ୍ତା ଓ ଚେତନାରେ ପରିପୁଷ୍ଟ ଥିଲେ । ଗର୍ବ ଓ ଅହଙ୍କାରରୁ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସ୍ନେହ ଓ ମାର୍ଗଦର୍ଶନ କରୁଥିଲେ । ସେ କେବଳ ଅଧ୍ୟାପକ ନଥିଲେ ଅତୀତ ଓ ସୁଦୂର ଭବିଷ୍ୟତର ସମ୍ମିଶ୍ରଣକୁ ନେଇ ଅଧ୍ୟୟନ କରୁଥିଲେ । ଯିଏ ମଧ୍ୟ ତାଙ୍କ ଠାରୁ ସାହାଯ୍ୟ ଆଶା କରିଛି, ସେ ପୂଜାରୀ ସା?ର୍ଙ୍କଠାରୁ ନିରାଶ ହୋଇ ନାହିଁ। ତାଙ୍କର ଜୀବନ ଏକ ଆଲୋକ ବର୍ତିକା ହେବ ବୋଲି ଅତ୍ୟୁକ୍ତି ହେବ ନାହିଁ ବୋଲି ଡ. ମିଶ୍ର କହିଥିଲେ ।

ଏହି ଅବସରରେ ସୁଦର୍ଶନ ପୂଜାରୀ ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ଏକ ସ୍ମରଣିକା ଗ୍ରନ୍ଥ ‘ସୁ ଦର୍ଶନ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ ।

ଡ. ଗୌରିଦାସ ପଧାନଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ଶିକ୍ଷକ ତଥା ଶିକ୍ଷାବିତ୍ ଲମ୍ବୋଦର ହୋତା, ବିରଂଚି ନାରାୟଣ ମିଶ୍ର, ସୀତାରାମ ମହାକୁଡ଼ ପ୍ରମୁଖ ପୂଜାରୀଙ୍କ ଜୀବନ, ଦର୍ଶନ, ସାଧନା ଏବଂ କୃତିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ବାଗ୍ନୀ ବରେଣ୍ୟା ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ପଂଚାନନ ପୂଜାରୀ, ଜିଜ୍ଞାସା ପୂଜାରୀ, ଡ. ଜିଜିସା ପୂଜାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପରେ ଡ. ବିଶ୍ୱରଞ୍ଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡ. ପୂଜାରୀଙ୍କ ଜୀବନୀ ସମ୍ବଳିତ ଏକ ବୃତଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ଏବଂ ଗବେଷକମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande