
ନୂଆପଡ଼ା,୧୯ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଏମ ଉଷା ଯୋଜନା ଅଧୀନରେ ଆର୍ଥିକ ସଚେତନତା ଓ ବିନିଯୋଗମୂଳକ ମନୋବିଜ୍ଞାନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅର୍ଥନୀତି ଓ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତରିକ ଗୁଣମାନ ନିଶ୍ଚିତି କୋଷର ସହଯୋଗରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସାକ୍ଷରତା - ଆଧୁନିକ ଜୀବନର ଏକ ଅତ୍ୟାବଶ୍ୟକ ଦକ୍ଷତା ଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼. ରଣବୀର ସିଂହ ଦୀର୍ଘମିଆଦି ଆର୍ଥିକ ଯୋଜନା ଓ ସଂଯମିତ ବିନିଯୋଗ ଆଚରଣର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ଗୁଣବନ୍ତ ସାହୁ କହିଥିଲେ ଯେ ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଆର୍ଥିକ ତଥ୍ୟ ଦେବା ନୁହେଁ, ବରଂ ସଠିକ୍ ଆର୍ଥିକ ନିଷ୍ପତ୍ତି ନେବା ପାଇଁ ମନସିକ ଭାବେ ପ୍ରସ୍ତୁତ କରିବା। କ୍ୟାପଟେନ ଡ଼. ବିଷ୍ଣୁ ଦେବ ସିଂହ ମଲ୍ଲିକ ଏପରି କାର୍ଯ୍ୟକ୍ରମ ଶିକ୍ଷା ଓ ପ୍ରୟୋଗ ମଧ୍ୟରେ ସେତୁ ଭାବେ କାମ କରେ ବୋଲି ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ପ୍ରବନ୍ଧକ ଦିନେଶ କୁମାର ମିଶ୍ର ଏବଂ ସହଯୋଗୀ ଅଞ୍ଚଳ ପରିଚାଳକ ଅଜିତ କୁମାର ପଟ୍ଟନାୟକ, ପରିଚାଳିକା ପୌଲମୀ ଗୁପ୍ତା, ସୁଜିତ କୁମାର ସାହୁ, ମିୟୋଗ ପାତ୍ର ପ୍ରମୁଖ ଆର୍ଥିକ ସଚେତନତା ଓ ବିନିଯୋଗ ମନୋବିଜ୍ଞାନର ମୂଳ ଧାରଣା ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବିନିଯୋଗର ସଫଳତା କେବଳ ବଜାର ଚଳାଚଳ ଉପରେ ନିର୍ଭର କରେ ନାହିଁ, ବରଂ ନିବେଶକଙ୍କ ମନୋଭାବ, ଭୟ, ଲୋଭ ଓ ଅତିଆତ୍ମବିଶ୍ୱାସ ଭଳି ମନୋବୃତ୍ତିଗତ ତତ୍ବ ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ। ଏହି ପ୍ରସଙ୍ଗରେ ସେ ଯୁବପିଢ଼ିଙ୍କୁ ଆରମ୍ଭରୁ ସଞ୍ଚୟ ଅଭ୍ୟାସ, ଝୁଲାଣି ବିତରଣ ଓ ଦୀର୍ଘମିଆଦି ଆର୍ଥିକ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜ ଆର୍ଥିକ ଭବିଷ୍ୟତ, କ୍ୟାରିଅର ଯୋଜନା ଓ ସୁରକ୍ଷିତ ବିନିଯୋଗ ସମ୍ପର୍କରେ ସନ୍ତୋଷଜନକ ଧାରଣା ନେଇଥିଲେ।
ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ. ତରୁଣ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ, ଅଧ୍ୟାପିକା ଡଃ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ଚିତ୍ତ ରଞ୍ଜନ ଜେନା, ଅଧ୍ୟାପକ ଡଃ. ରାଜ କୁମାର ରତେ, ଅଧ୍ୟାପିକା ରାଜେଶ୍ୱରୀ କରୁଁଆ, ଅଧ୍ୟାପକ ମୌସମ ପ୍ରଧାନ, ଅଧ୍ୟାପକ ମୃତ୍ୟୁଞ୍ଜୟ ମେହେର, ଅଧ୍ୟାପକ ହରିହର ବେଶରା, ଅଧ୍ୟାପକ ରୂପବନ୍ତ ଭୋଇ, ଅଧ୍ୟାପକ ଶୁଭେନ୍ଦୁ ନିଆଲ, ଅଧ୍ୟାପକ ଡଃ. ଶୁଭ୍ରାଂସିସ ବାରିକ, ଅଧ୍ୟାପିକା ପ୍ରଣତି ପଣ୍ଡା, ଅଧ୍ୟାପିକା ଶିଲା ତ୍ରିବେଦୀ, ଅଧ୍ୟାପକ ଚୈତନ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ପିଏମ ଉଷାର ନୋଡାଲ ଅଫିସର ହରନାମ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ