


ବଲାଙ୍ଗିର, 19 ଡିସେମ୍ବର (ହି.ସ.) - ବଲାଙ୍ଗିର ଜିଲ୍ଲା କୃଷକ ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳି ଦେଓଗାଁ ବ୍ଲକ, ବଲାଙ୍ଗିର ସଦର ବ୍ଲକ ଏବଂ ପୁଇଁନ୍ତଲା ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ରାଜ୍ୟର ଡବଲ ଇଞ୍ଜିନ ସରକାର ଚାଷୀମାନଙ୍କ ପାଇଁ କୁମ୍ଭିର କାନ୍ଦଣା କରୁଥିଲେ ହେଁ ତାଙ୍କର ଚାଷୀ ମାରଣ ନୀତିି ଯଥା ମିଲର୍ସ ଓ ପ୍ରଶାସନ ସହ ମଧୁଚନ୍ଦ୍ରିକା ପଦାରେ ପଡିଯାଇଛି । ବଲାଙ୍ଗିର ଜିଲ୍ଲାରେ ଡିସେମ୍ବର ୫ ତାରିଖ ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ଘୋଷଣା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କାଁ ଭାଁ କେତୋଟି ମଣ୍ଡିକୁ ଛାଡିଦେଲେ ବାକି ସବୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇନାହିଁ । ଯେଉଁଠି ହୋଇଥିଲେ ହେଁ ମିଲର୍ସମାନଙ୍କ ଭରସାରେ ହାତବାନ୍ଧି ଛିଡା ହୋଇଛି ପ୍ରଶାସନ । ତେଣୁ ଏହି ସବୁ ଅବ୍ୟବସ୍ଥାର ସମାଧାନ ସହ ସମସ୍ତ ମଣ୍ଡି ତୁରନ୍ତ ଖୋଲିବା ଦାବିରେ ଆସନ୍ତା ୨୦.୧୨.୨୦୨୫ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବା ପାଇଁ ଜିଲ୍ଲା କୃଷକ ସଂଘ ନିଷ୍ପତ୍ତି ନେଇଛି । ଆଜିର ଏହି ଗସ୍ତ ସମୟରେ ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ର, ସଂପାଦକ ସରୋଜ ରଥ, ସହ-ସଂପାଦକ ଶ୍ରୀଧର ବାରିକ, କମିଟିର ଉପଦେଷ୍ଟା ବୁଲୁ ଦାନି, ଅସୀତ ମିଶ୍ର ଙ୍କ ସହ ପ୍ରଦ୍ୟୁମ୍ନ ସାହୁ, ସଂଜୟ ହୋତା, ସମୀର ସାହୁ, ଲଳିତ ପଟେଲ, ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
-
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ