
ଧର୍ମଶାଳା,୧୯ ଡିସେମ୍ବର (ହି.ସ.)- ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ସତ୍ୟ ସାଇ କ୍ରିକେଟ ଆସୋସିଏସନର ସଭାପତି ପ୍ରିୟନାଥ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ରାଉତ, ଝାଲପଡା ସରପଂଚ ଭାରତୀ ମଲ୍ଲିକ ଓ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ପତିତ ପାବନ ସାମଲ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ଟାଉନ ଓ ଆଂଚଳିକ ଯୁବ ପରିଷଦ ପଂଚୁପାଣ୍ଡବ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ପଂଚୁପାଣ୍ଡବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୩୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରଜ୍ଞା ପରିଡା ୪୬ ବଲରେ ୬୮ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଦିବ୍ୟଜ୍ୟୋତି ଦାସ ୪ ଓଭର ବୋଲିଂ କରି ୨୦ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ୧୪୦ ରନର ବିଜୟ ଲକ୍ଷ୍ୟ ନେଇ ଯାଜପୁର ଟାଉନ ୧୯.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ସୁହାସିଶ ଜେନା ସର୍ବାଧିକ ୪୬ ବଲରେ ୫୨ ଓ ସରୋଜ ବେହେରା ୪୦ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ମିଟୁ ମଲ୍ଲିକ ୪ ଓଭର ବୋଲିଂ କରି ୨୨ ରନ ଦେଇ ଏକମାତ୍ର ଉଇକେଟ ନେଇଥିଲେ । ଖେଳ ପରିଚାଳନାରେ ଶରତ ଚନ୍ଦ୍ର ଜେନା ଓ ସୌମ୍ୟ ରଂଜନ ଦାସ ସହଯୋଗ କରିଥିଲେ । ସ୍କୋରର ଭାବେ ସାଇ ପ୍ରବୀର ଓ ବବି ନାରାୟଣ ସେଠୀ ଓ ଭାଷ୍ୟକାର ଭାବେ ସୁମନ ସାହୁ ଓ ଇମ୍ରାନ ଖାଁ ସହଯୋଗ କରିଥିଲେ । ଆଜି ମ୍ୟାଚରେ ରଘୁନାଥ ଜେନା, ମାଧବାନନନ୍ଦ ଜେନା, ହେମନ୍ତ ସାହୁ, ରଂଜିତ ନାୟକ, ଦିଲ୍ଲୀପ ଜେନା, ଉତ୍କଳ ଜେନା, ନିରଞ୍ଜନ ଜେନା, ସୁନିଲ ଜେନା, କବି ଚନ୍ଦ୍ର ସାହୁ, ପ୍ରଭାକର ସାହୁ, ଶୁକଦେବ ବିଶ୍ୱାଳ ଓ ସତ୍ୟସାଇ ସେବା ସମିତିର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଶନିବାର ବାର ଦିନ ମା’ବାଟ ମଙ୍ଗଳା କ୍ରିକେଟ ଟିମ୍ ଗୋଳକୁଣ୍ଡ ଓ ଆୟୋଜକ ସତ୍ୟ ସାଇ କ୍ରିକେଟ ଟିମ୍ କାକୁଡିକୁଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ