
ଜୟପୁର, ୧୯ ଡିସେମ୍ବର (ହି.ସ.)- ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରାଠାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ୍ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିରର ଆଜି ଦ୍ଵିତୀୟ ଦିନ। ସର୍ବ ପ୍ରଥମେ ସକାଳ ୭ଟାରେ ନବଘନ ରାଉତ, ଜ୍ୟୋତି ରଞ୍ଜନ ନନ୍ଦ ଓ ଶ୍ରୀମତୀ ଶୁଭସ୍ମିତା ସାହୁ ପ୍ରାର୍ଥନା ଓ ଯୋଗାଭ୍ୟାସ ପ୍ରଶିକ୍ଷଣ ଦେଇଥିଲେ । ଏହାପରେ ସମସ୍ତ ଜୁନିଅର୍, ପରାମର୍ଶଦାତା ଓ ପରାମର୍ଶଦାତ୍ରୀଙ୍କୁ ନେଇ ଏକ ସ୍ୱଚ୍ଛତା ରାଲି କରାଯାଇଥିଲା । ଶିକ୍ଷକ ସରୋଜ କୁମାର ପାଢ଼ୀ ମହୋଦୟ ପତାକା ଉତ୍ତୋଳନ କରିଥିଲେ । ପ୍ରାଥମିକ ଉପଚାରର ଗୁରୁତ୍ଵ, କୌଶଳ ଉପରେ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ହରେକୃଷ୍ଣ ମହାରଣା ଏବଂ ଜିଲ୍ଲା ସାଧନକର୍ମୀ ଜ୍ୟୋତିରଞ୍ଜନ ନନ୍ଦ କହିଥିଲେ । ସଡ଼କ ସୁରକ୍ଷାର ନୀତିନିୟମ, ଗୁଡ ସମାରିଟନ ନିୟମ ବିଷୟରେ ଆଲୋଚନା କରିଥିଲେ ଜିଲ୍ଲା ସାଧନ କର୍ମୀ ସଞ୍ଜୟ କୁମାର ପାଳ ଓ ତପନ ପରିଡ଼ା । ଏହା ସହିତ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ହରେକୃଷ୍ଣ ମହାରଣା, ରାଜ୍ୟ ସାଧନକର୍ମୀ ଯଜ୍ଞେଶ୍ୱର ପଣ୍ଡା, ଜିଲ୍ଲ୍ଲା ସାଧନକର୍ମୀ ଜ୍ୟୋତିରଞ୍ଜନ ନନ୍ଦ ଏବଂ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରାର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାତୀ ସେଠୀ ଓ ଶିକ୍ଷକ ଦେବାଶିଷ ପଣ୍ଡା, ସଞ୍ଜୟ ରାଉତ, ଭାନୁମତୀ ଖରା ଓ ବିଦ୍ୟାଳୟର ଅନ୍ୟାନ୍ୟ ସହକର୍ମୀ । ଏଥିରେ ପ୍ରାୟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦ୍ଵିତୀୟ ଦିବସର ଦ୍ଵିତୀୟ ଅଧିବେଶନରେ ତମାଖୁ ବର୍ଜନ, ନିଶାନିବାରଣ ବିଷୟରେ ଅବଗତ କରାଇଥିଲେ ଜିଲ୍ଲା ସାଧନକର୍ମୀ ରାଧେଶ୍ୟାମ ସାହୁ। ଏହାପରେ ଜୁନିଅରମାନଙ୍କର ଭାଷଣ ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟାରେ ସାମୂହିକ ଗୀତ ତଥା ସାମୂହିକ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ରାଜେନ୍ଦ୍ର ସେଠୀ, ଜଗଦୀଶ ବେହେରା, ସରୋଜ କୁମାର ପଣ୍ଡା, ତ୍ରିନାଥ ହରିଜନ, ଦୁଷ୍ମନ୍ତ ସାହୁ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ।
ହିନ୍ଦୁସ୍ଥାନ ସମାଚାର / ପିକେପି