
ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ସଂସଦର ଉଭୟ ଗୃହର କାର୍ଯ୍ୟ ଶୁକ୍ରବାର ଅନିର୍ଦ୍ଧଷ୍ଟ
କାଳ ପାଇଁ ସ୍ଥଗିତ କରାଯାଇଛି। ଏହା ସହିତ ଶୀତକାଳୀନ ଅଧିବେଶନର ସମାପ୍ତି ହୋଇଛି। ଏହି ଅଧିବେଶନ
ଅବଧିରେ ରାଜ୍ୟସଭା ଓ ଲୋକସଭାର ଉତ୍ପାଦକତା କ୍ରମଶଃ ୧୨୧ ଏବଂ ୧୧୧ ପ୍ରତିଶତ ରହିଥିଲା।
ରାଜ୍ୟସଭାର ସଭାପତି ସି.ପି. ରାଧାକୃଷ୍ଣନ କହିଛନ୍ତି ଯେ ଏହି ଅଧିବେଶନରେ
ଗୁରୁତ୍ୱପୂର୍ଣ୍ଣ ବିଧାନୀୟ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଚ୍ଚ ସଦନର ସଭାପତି ଭାବେ ଏହା
ରାଧାକୃଷ୍ଣନଙ୍କର ପ୍ରଥମ ଅଧିବେଶନ ଥିଲା ଏବଂ ସଦନର କାର୍ଯ୍ୟ ସଞ୍ଚାଳନରେ ସହଯୋଗ ପାଇଁ ସେ
ଉପସଭାପତି ହରିବଂଶ,
ସଦସ୍ୟମାନେ ଓ କର୍ମଚାରୀମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ସେ କହିଛନ୍ତି ଯେ ଏହି ସତ୍ରରେ ସଦନର କାର୍ଯ୍ୟ ଉତ୍ପାଦକତା ପ୍ରାୟ ୧୨୧ ପ୍ରତିଶତ ରହିଛି।
ସେ କହିଛନ୍ତି ଯେ ୨୬୯ତମ ଅଧିବେଶନ କିଛି ଉଲ୍ଲେଖନୀୟ ସଫଳତା ପାଇଁ
ବିଶିଷ୍ଟ ରହିଛି। ଏହି ଅଧିବେଶନରେ ଶୂନ୍ୟକାଳ ସୂଚନାର ସଂଖ୍ୟା ଅଭୂତପୂର୍ବ ଥିଲା, ଯେଉଁଥିରେ
ପ୍ରତିଦିନ ହାରାହାରି ୮୪ରୁ ଅଧିକ ସୂଚନା ପ୍ରାପ୍ତ ହୋଇଥିଲା, ଯାହା ପୂର୍ବବର୍ତ୍ତୀ ଦୁଇଟି ଅଧିବେଶନ ତୁଳନାରେ ପ୍ରାୟ
୩୧ ପ୍ରତିଶତ ଅଧିକ। ଏହାସହ, ଶୂନ୍ୟକାଳରେ ପ୍ରକୃତରେ ଉଠାଯାଇଥିବା ବିଷୟଗୁଡ଼ିକର ସଂଖ୍ୟା ମଧ୍ୟ
ପୂର୍ବ ମାନଦଣ୍ଡଠାରୁ କେତେକ ଅଧିକ ଥିଲା। ପ୍ରତିଦିନ ହାରାହାରି ୧୫ରୁ ଅଧିକ ବିଷୟ ଉଠାଯାଇଥିଲା, ଯାହା
ପୂର୍ବବର୍ତ୍ତୀ ଦୁଇଟି ଅଧିବେଶନ ତୁଳନାରେ ପ୍ରାୟ ୫୦ ପ୍ରତିଶତ ଅଧିକ।
ରାଧାକୃଷ୍ଣନ କହିଛନ୍ତି ଯେ ଗୃହ ଆମ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର
୧୫୦ତମ ବାର୍ଷିକୀ ଅବସରରେ ଏକ ବିଶେଷ ସ୍ମରଣୀୟ ଆଲୋଚନା କରିଥିଲା। ଏହି ଆଲୋଚନା ଦୁଇ ଦିନ ଧରି
ଚାଲିଥିଲା, ଯେଉଁଥିରେ ୮୨ ଜଣ
ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗୃହ ନିର୍ବାଚନ ସୁଧାର ଉପରେ ମଧ୍ୟ ଆଲୋଚନା କରିଥିଲା, ଯାହା ତିନି ଦିନ
ଧରି ଚାଲିଥିଲା ଏବଂ ୫୭ ଜଣ ସଦସ୍ୟ ଆମ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ନିଜ
ମୂଲ୍ୟବାନ ମତାମତ ରଖିଥିଲେ।
ସେ କହିଛନ୍ତି ଯେ ସଦନ ୮ଟି ବିଲ୍ ପାସ୍/ପ୍ରତ୍ୟାହାର କରିଛି ଏବଂ ଜଳ
(ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ସଂଶୋଧନ ଅଧିନିୟମ, ୨୦୨୪ ସମ୍ପର୍କିତ ଏକ ସାଂବିଧାନିକ ସଂକଳ୍ପକୁ ଗ୍ରହଣ
କରିଛି, ଯେଉଁଥିରେ ମୋଟ ୨୧୨
ଜଣ ସଦସ୍ୟ ଅଂଶନେଇଥିଲେ। ସମୁଦାୟରେ, ଗୃହ ପ୍ରାୟ ୯୨ ଘଣ୍ଟା କାମ କରିଛି। ଏହି ଅଧିବେଶନର
ସମୁଦାୟ ଉତ୍ପାଦକତା ୧୨୧ ପ୍ରତିଶତ ରହିଛି। ଏହି ସମୟରେ ୫୮ଟି ତାରାଙ୍କିତ ପ୍ରଶ୍ନ, ୨୦୮ଟି ଶୂନ୍ୟକାଳ
ପ୍ରସ୍ତୁତି ଏବଂ ୮୭ଟି ବିଶେଷ ଉଲ୍ଲେଖ କରାଯାଇଛି।
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ
୧୮ତମ ଲୋକସଭାର ଷଷ୍ଠ ଅଧିବେଶନ ଆଜି ସଫଳତାର ସହ ସମାପ୍ତ ହୋଇଛି। ଏହି ଅଧିବେଶନ ୧ ଡିସେମ୍ବର
୨୦୨୫ରେ ଆରମ୍ଭ ହୋଇଥିଲା ଏବଂ ମୋଟ ୧୫ଟି ବୈଠକ ଆୟୋଜିତ ହୋଇଥିଲା। ସମସ୍ତ ସଦସ୍ୟଙ୍କ ସହଯୋଗରେ
ସଦନର ଉତ୍ପାଦକତା ପ୍ରାୟ ୧୧୧ ପ୍ରତିଶତ ରହିଛି। ସଦନର କାର୍ଯ୍ୟ ସୁଚାରୁ ଭାବେ ସଞ୍ଚାଳନ ପାଇଁ
ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, କ୍ଷମତାପକ୍ଷ ଓ
ବିରୋଧୀ ପକ୍ଷର ସମସ୍ତ ସଦସ୍ୟ, ଲୋକସଭା ସଚିବାଳୟ ଏବଂ ମିଡ଼ିଆ ପ୍ରତି ସେ
ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇଛନ୍ତି।
ଉଲ୍ଲେଖନୀୟ ଯେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗନର ଅର୍ଥ ହେଉଛି ଏହି ଅଧିବେଶନର
ଆଉ କୌଣସି ପରବର୍ତ୍ତୀ ବୈଠକ ହେବ ନାହିଁ। ପରବର୍ତ୍ତୀ ଅଧିବେଶନ କେନ୍ଦ୍ର ସରକାରଙ୍କ ସୁପାରିଶରେ
ରାଷ୍ଟ୍ରପତିଙ୍କ ଅନୁମତି ସହ ଆହ୍ୱାନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା