


ସୁବର୍ଣ୍ଣପୁର, ୧୯ ଡିସେମ୍ବର (ହି.ସ.)- ତରଭା ବ୍ଲକ ଚାରଭଟା ଆଦିବାସୀ ହଷ୍ଟେଲରେ ଅଭିଯୋଗ ପାଇ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ଚାରି ଗୋଟି ହଷ୍ଟେଲ (ଛାତ୍ର ଓ ଛାତ୍ରୀ ନିବାସ) ସୋନପୁର ବ୍ଲକ ଅସୁରମୁଣ୍ଡାକୁ ଗତକାଲି ଅପରାହ୍ନରେ ଅଚାନକ ପରିଦର୍ଶନ କରିଥିଲେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ବ୍ଲକର ନୂତନ ବିଡିଓ ପ୍ରତୀକ କରଙ୍କ ନେତୃତ୍ଵରେ ଡ଼ବ୍ଲୁଇଓ ସୌରଭ ଦାନି, ବିଆରସି ବିବେକାନନ୍ଦ ପଣ୍ଡା, ଏଇ ରାଜେନ୍ଦ୍ର ମଣ୍ଡଳ ପ୍ରମୁଖ ଅଫିସର ଓ ଏଇ ପରିଦର୍ଶନରେ ସାମିଲ ଥିଲେ | ଅସୁର ମୁଣ୍ଡା ଆଦିବାସୀ ଛାତ୍ର ଓ ଛାତ୍ରୀ ନିବାସର ଶୃଂଖଳା, ଭିତ୍ତିଭୁମି ବିକାଶର ସାମଗ୍ରିକ ସ୍ଥିତି, ଶିକ୍ଷା ଓ ପାନୀୟ ଜଳର ଗୁଣବତ୍ତା, ପରିମଳ ଓ ପରିଷ୍କାର ପରିଚ୍ଛନ୍ନତା, ମଧ୍ୟାହ୍ନ ଭୋଜନର ମାନ ଓ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ କଡାକଡି ଯାଞ୍ଚ କରିଥିଲେ ବିଡିଓ ଶ୍ରୀ କରଙ୍କ ସହିତ ଏହି ପ୍ରତିନିଧି ଦଳ l ଗତକାଲି ଏ ଗାଁ ରେ ଥିବା ତିନି ଗୋଟି ଛାତ୍ରୀ ନିବାସ ଓ ଗୋଟାଏ ଛାତ୍ର ନିବାସରେ ପ୍ରାୟ ତିନି ଘଣ୍ଟା ଯାଏଁ ଜିଲ୍ଲା ପ୍ରଶାସନର ଏହି ପ୍ରତିନିଧି ଦଳ ସମସ୍ତ ବ୍ୟବସ୍ଥା ଉପରେ ଯାଞ୍ଚ ଓ ନିରୀକ୍ଷଣ କରି ପ୍ରତି ମୁହୂର୍ତ୍ତରେ ହଷ୍ଟେଲର ସୁରକ୍ଷା ଓ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ରଖିବାକୁ ଓ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବାକୁ ହଷ୍ଟେଲ ଅଧିକ୍ଷକଙ୍କୁ ପରାମର୍ଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ