
ସୁବର୍ଣ୍ଣପୁର, ୧୯ ଡିସେମ୍ବର (ହି.ସ.)- ଖରିଫ ଋତୁରେ ଅମଳ ଧାନ ବିକ୍ରି ନେଇ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଲାଣି । ଯାହା ଫଳରେ ଦୁନିଆକୁ ଆହାର ଯୋଗାଉଥିବା ଚାଷୀକୁଳ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହାର ସମାଧାନ ନେଇ ଆଜି ସମ୍ପ୍ରତି ବିନିକା ଅଞ୍ଚଳର ଶତାଧିକ ଚାଷୀ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ଜିଲ୍ଲାର ମୁଖିଆ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଆସି ନଥିବା ଚାଷୀ ମାନଙ୍କ ଟୋକନ ଆସନ୍ତା ୭ ଦିନ ମଧ୍ୟରେ ପ୍ରଦାନ କରାଯାଉ, ଜାନୁଆରୀ ମାସ ମଧ୍ୟରେ ସମସ୍ତ ଚାଷୀ ମାନଙ୍କ ଧାନ କ୍ରୟ କରାଇବାର ବ୍ୟବସ୍ଥା କରାଯାଉ । ଯଦି ଦାବୀ ଗୁଡ଼ିକ ଉପରେ ପଦକ୍ଷେପ ସ୍ୱରୂପ ତୁରନ୍ତ ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ ଯାହାବି ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଅଞ୍ଚଳରେ କା ଭାଁ ମଣ୍ଡି ଖୋଲିଛି । ଯେଉଁ କେତେକ ମଣ୍ଡି ଖୋଲିଛି ସେଠାରୁ ଠିକ ଭାବରେ ଧାନ ଉଠୁନାହିଁ ।ଫଳରେ ଟୋକନ ପାଇ ମଣ୍ଡିକୁ ନେଇଥିବା ଧାନକୁ ଚାଷୀ ପ୍ରଚଣ୍ଡ ଶୀତ କାକରରେ ଅନିଦ୍ରା ରହି ଦୁଃଖ କଷ୍ଟରେ ଜଗି ରହିଛି। ସେହିପରି ଅଧିକାଂଶ ଚାଷୀଙ୍କର ଟୋକନ୍ ବର୍ତ୍ତମାନ ସୁଦ୍ଧା ଆସି ନଥିବାରୁ ଚାଷୀ ତା'ର କଷ୍ଟ ଉପାର୍ଜିତ ଅମଳ ଧାନକୁ ବିଭିନ୍ନ ଚାଷ ଜମି ପଡ଼ିଆ, ଖଳାରେ ସାଇତି ରଖି ଦିନ/ରାତି ଜଗି ରହିଥିବା ଦେଖିବାକୁ ମିଳିଛି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଟୋକନ ଆସିବାରେ ବିଳମ୍ବ ହେବା ଏବଂ ଧାନ କ୍ରୟ କରି ନପାରିବାରୁ ବିନିକା ଅଞ୍ଚଳର ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ସ୍ଥାନୀୟ ଆରଏମସି ଠାରେ ଏକଜୁଟ ହୋଇଥିଲେ । ସେଠାରେ ଧାନ ବିକ୍ରି ସମସ୍ୟା ନେଇ ଅନୁଷ୍ଠିତ ବୈଠକରେ ଚାଷୀମାନେ ନିଜର ମତ ଉପସ୍ଥାପନ କରି ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଚାଷୀଙ୍କ ଅମଳ ଧାନ କ୍ରୟ ହୋଇ ନପାରିବା ନେଇ ଚାଷୀ ଅସନ୍ତୋଷ ତୀବ୍ର ହୋଇଥିଲା । ଚାଷୀ ଏକତା ଜିନ୍ଦାବାଦ, ଚାଷୀଙ୍କୁ ଶୀଘ୍ର ଟୋକନ ଦିଆଯାଉ, ଧାନ ଶୀଘ୍ର ମଣ୍ଡିରୁ ଉଠାଯାଉ, କଟନି ଛଟନି ବନ୍ଦ କରାଯାଉ ଆଦି ନାରାରେ ସହର ପ୍ରକମ୍ପିତ ହୋଇଥିଲା । ଚାଷୀକୁଳ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ