
ନୂଆଦିଲ୍ଲୀ, 20 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ବସ୍ତ୍ର ମନ୍ତ୍ରୀ ଗିରିରାଜ ସିଂହ ଶନିବାର
କହିଛନ୍ତି ଯେ ବସ୍ତ୍ର ଉଦ୍ୟୋଗଗୁଡ଼ିକୁ ବିଶ୍ୱ ପଟଳରେ ତିଷ୍ଠି ରହିବା ପାଇଁ ନିଜ ଟେକ୍ନିକାଲ୍
କ୍ଷମତାକୁ ବଢ଼ାଇବାକୁ ପଡ଼ିବ। ସେ ବସ୍ତ୍ର ଶିଳ୍ପରେ ଅଧିକ ପରିବର୍ତ୍ତନ ଆଣିବା ପାଇଁ
ଅନୁସନ୍ଧାନ ଏବଂ ନବୋନ୍ମେଷ (ଇନୋଭେସନ୍) ଉପରେ ଜୋର ଦେଇଥିଲେ।
ବସ୍ତ୍ର ମନ୍ତ୍ରୀ ଆଜି ଦିଲ୍ଲୀରେ ବସ୍ତ୍ର ଅନୁସନ୍ଧାନ ସଂଘର ପ୍ରଥମ
ସଂଯୁକ୍ତ ବୈଠକରେ ଏହି କଥା କହିଛନ୍ତି। ଏହି ବୈଠକଟିକୁ ବସ୍ତ୍ର ମନ୍ତ୍ରଣାଳୟ ଆୟୋଜନ କରିଥିଲା।
ବୈଠକରେ ସସ୍ଟେନେବିଲିଟି, ନୂତନ ଫାଇବରରେ ନବୋନ୍ମେଷ ଏବଂ ବସ୍ତ୍ର ଅନୁସନ୍ଧାନ ସଂଘମାନଙ୍କର
ଭୂମିକା ପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।
ସେ କହିଛନ୍ତି ଯେ, “ଅନୁସନ୍ଧାନ ଏବଂ ନବୋନ୍ମେଷ
ହେଉଛି ସେହି ପଥ, ଯାହା ମାଧ୍ୟମରେ
ଆମେ ସଂଯୁକ୍ତ ଜାତିସଂଘର ସତତ ଉନ୍ନୟନ ଲକ୍ଷ୍ୟଗୁଡ଼ିକୁ ପ୍ରାପ୍ତ କରିପାରିବା। ଏହା ଦ୍ୱାରା
‘ଅର୍ଥ ଓଭରଶୁଟ୍ ଡେ’ ପରି ଗମ୍ଭୀର ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରାଯାଇପାରିବ। ଏହାସହ ନୂତନ
ପିଢ଼ିର ରେଶମ ଏବଂ ପ୍ରଯୁକ୍ତିମୂଳକ ଫାଇବରର ବ୍ୟବହାର ମାଧ୍ୟମରେ ହିଁ ଆମେ ବିଶ୍ୱ ବଜାରରେ ନିଜ
ସ୍ଥାନ ସୁଦୃଢ଼ କରିପାରିବା।”
ମନ୍ତ୍ରୀ କହିଛନ୍ତି ଯେ ବାଉଁଶ, ସିସଲ୍, ହେମ୍ପ ଏବଂ ପାଇନଏପଲ୍ ଫାଇବର ପରି ପ୍ରାକୃତିକ
ଫାଇବରକୁ ଶିଳ୍ପ ଉପଯୋଗ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଏହା ସହିତ
ସରକାରଙ୍କ ଲକ୍ଷ୍ୟ ହେଉଛି ରେମି ଏବଂ ଫ୍ଲାକ୍ସ ପରି ଫାଇବରର ଉତ୍ପାଦନ ଦେଶ ମଧ୍ୟରେ ବଢ଼ାଇବା, ଯାହା ଫଳରେ
ବାଣିଜ୍ୟ କ୍ଷତି କମିପାରିବ।
ସେ କହିଛନ୍ତି ଯେ ପୂର୍ବରୁ ସେନିଟାରି ନ୍ୟାପକିନ୍ ଆମଦାନି
କରାଯାଉଥିଲା, କିନ୍ତୁ ଏବେ
ସ୍ୱଦେଶୀ ପ୍ରଯୁକ୍ତିମୂଳକ ଫାଇବର ବ୍ୟବହାର କରାଯାଉଥିବାରୁ ଆମଦାନି କମିଛି। ବର୍ତ୍ତମାନ ‘ଡିସ୍ପୋଜାଲ୍’ ଏବଂ ‘ୱେଷ୍ଟ ମ୍ୟାନେଜମେଣ୍ଟ’ ଏକ
ଚ୍ୟାଲେଞ୍ଜ ହୋଇ ରହିଛି, ଯାହା ପାଇଁ ପାଣିରେ ମିଶିଯାଉଥିବା ଫାଇବର ଉପରେ କାମ ହେଉଛି। ଏହା
ସହିତ ହାଇଡ୍ରୋଜେନ୍ ଇନ୍ଧନ ସଞ୍ଚୟ ପାଇଁ କାର୍ବନ୍ ଫାଇବର ସିଲିଣ୍ଡର ତିଆରି କରିବା ଉପରେ ମଧ୍ୟ
ଜୋର ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା