
ଡିବ୍ରୁଗଡର ନାମରୂପରେ ଆମୋନିଆ-ୟୁରିଆ ପ୍ରକଳ୍ପ ପାଇଁ ଭୂମି ପୂଜନ କଲେ ପିଏମ
ମୋଦି
ନୂଆଦିଲ୍ଲୀ, 21 ଡିସେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ରବିବାର ପୂର୍ବତନ କଂଗ୍ରେସ ସରକାର ଶାସନକାଳରେ ଆସାମ ସହିତ ଦେଶର ଅନେକ ଅଞ୍ଚଳରେ ସାର
କାରଖାନା ବନ୍ଦ ହୋଇଯିବା ବିଷୟ ଉଠାଇ କହିଛନ୍ତି ଯେ, ଏହାର ପରିଣାମ ସ୍ୱରୂପ କୃଷକମାନଙ୍କୁ ୟୁରିଆ ପାଇଁ ଦୀର୍ଘ ଲାଇନ୍ରେ
ଦଢ଼ିବାକୁ ପଡ଼ୁଥିଲା ଏବଂ ଅନେକ ସମୟରେ ପରିସ୍ଥିତି ସମ୍ଭାଳିବାକୁ ଲାଠିଚାର୍ଜ ପର୍ଯ୍ୟନ୍ତ
ହେଉଥିଲା। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ହିଁ ପରିସ୍ଥିତିକୁ ଖରାପ କରିଥିଲା ଏବଂ
ସେଗୁଡ଼ିକୁ ସୁଧାରିବା ପାଇଁ ବର୍ତ୍ତମାନ ସରକାର ପୂର୍ଣ୍ଣ ପ୍ରତିବଦ୍ଧତା ସହ କାମ କରୁଛି ଏବଂ
ସାରା ଦେଶରେ ନୂଆ ସାର ୟୁନିଟ୍ ସ୍ଥାପନ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଡିବ୍ରୁଗଡ଼ର ନାମରୂପରେ ଆସାମ ଭ୍ୟାଲି
ଫର୍ଟିଲାଇଜର ଏଣ୍ଡ କେମିକାଲ କମ୍ପାନୀର ଆମୋନିଆ–ୟୁରିଆ ପ୍ରକଳ୍ପ ପାଇଁ ଭୂମିପୂଜନ କରିଛନ୍ତି।
ଏହି ନୂଆ ବ୍ରାଉନଫିଲ୍ଡ ଆମୋନିଆ–ୟୁରିଆ ସର୍ବରାସାର ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାରୁ
ଅଧିକ ଆନୁମାନିକ ବିନିଯୋଗ କରାଯାଇଛି। ୧୦,୬୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଆସାମ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର
ସର୍ବରାସାର ଆବଶ୍ୟକତା ପୂରଣ କରିବ, ଆମଦାନୀ ଉପରେ ନିର୍ଭରତା କମାଇବ, ପ୍ରଚୁର ରୋଜଗାର ସୃଷ୍ଟି କରିବ ଏବଂ ଅଞ୍ଚଳୀୟ ଆର୍ଥିକ
ବିକାଶକୁ ଗତି ଦେବ।
ଏହି ଅବସରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଅଭିଯୋଗ
କରିଛନ୍ତି ଯେ କଂଗ୍ରେସ ଆଜି ମଧ୍ୟ ଦେଶବିରୋଧୀ ଚିନ୍ତାଧାରାକୁ ଆଗେଇ ନେଉଛି ଏବଂ ଆସାମର ଜଙ୍ଗଲ
ଓ ଜମିରେ ବାଂଲାଦେଶୀ ବେଆଇନ ଅନୁପ୍ରବେଶକାରୀମାନଙ୍କୁ ବସାଇ କେବଳ ନିଜର ଭୋଟବ୍ୟାଙ୍କ ମଜବୁତ
କରିବାକୁ ଚାହୁଁଛି। ସେ କହିଛନ୍ତି ଯେ କଂଗ୍ରେସର ଆସାମର ପରିଚୟ, ସଂସ୍କୃତି ଓ
ସମ୍ମାନ ସହ କୌଣସି ସମ୍ପର୍କ ନାହିଁ। ବେଆଇନ ଅନୁପ୍ରବେଶକାରୀ ମାନଙ୍କୁ ବସାଇବା ଏବଂ ସେମାନଙ୍କୁ
ସୁରକ୍ଷା ଦେବାର କାମ କଂଗ୍ରେସ ହିଁ କରିଛି, ଏହି କାରଣରୁ ସେ ଭୋଟର ତାଲିକାର ଶୁଦ୍ଧିକରଣ (ଏସ୍ଆଇଆର୍)କୁ ବିରୋଧ
କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତୁଷ୍ଟିକରଣ ଓ ଭୋଟବ୍ୟାଙ୍କ ରାଜନୀତିର ଏହି ବିଷରୁ
ଆସାମକୁ ବଞ୍ଚାଇବା ଅତ୍ୟାବଶ୍ୟକ ଏବଂ ସେ ଆଶ୍ୱାସନା ଦେଇଛନ୍ତି ଯେ ଆସାମର ପରିଚୟ ଓ ସମ୍ମାନର
ସୁରକ୍ଷା ପାଇଁ ବିଜେପି ଫୌଲାଦ ପରି ଶକ୍ତ ହୋଇ ଜନତାଙ୍କ ସହ ରହିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ତାଙ୍କ ସରକାର ଭୂପେନ
ଦାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲା, ସେତେବେଳେ କଂଗ୍ରେସ ଖୋଲାମେଳା ଭାବେ ଏହାକୁ ବିରୋଧ କରିଥିଲା। ସେ
ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ପକ୍ଷରୁ ଦିଆଯାଇଥିବା “ମୋଦୀ ନାଚିବା–ଗାଇବା
ଲୋକଙ୍କୁ ଭାରତ ରତ୍ନ ଦେଉଛନ୍ତି” ବକ୍ତବ୍ୟ କେବଳ ଭୂପେନ ଦାଙ୍କର ନୁହେଁ, ସମଗ୍ର ଆସାମ ଏବଂ
ତାହାର ସାଂସ୍କୃତିକ ଐତିହ୍ୟର ଅପମାନ ଅଟେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆସାମ ଏବଂ
ସମଗ୍ର ଉତ୍ତର–ପୂର୍ବ ଭାରତ ପାଇଁ ଏକ ଐତିହାସିକ ଦିନ।
ସେ କହିଛନ୍ତି ଯେ ନାମରୂପ ଓ ଡିବ୍ରୁଗଡ଼ର ବର୍ଷଧରି ପୁରୁଣା ସ୍ୱପ୍ନ
ଏବେ ସାକାର ହେଉଛି ଏବଂ ଏହି ସମଗ୍ର ଅଞ୍ଚଳରେ ଔଦ୍ୟୋଗିକ ପ୍ରଗତିର ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ
ହୋଇଛି, ଯାହା ଭବିଷ୍ୟତରେ
ବ୍ୟାପକ ବିକାଶର ଭିତ୍ତି ହେବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପିର ଡବଲ୍ ଇଞ୍ଜିନ୍ ସରକାରରେ
ଶିଳ୍ପ ଏବଂ ସଂଯୋଗ (କନେକ୍ଟିଭିଟି)ର ସମନ୍ୱୟ ଆସାମର ବିକାଶକୁ ନୂଆ ଗତି ଦେଉଛି। ଏହା ଦ୍ୱାରା
କେବଳ ଆର୍ଥିକ କାର୍ଯ୍ୟକଳାପ ବଢ଼ୁନାହିଁ, ବରଂ ଯୁବମାନଙ୍କ ମନରେ ନୂଆ ସ୍ୱପ୍ନ ଦେଖିବା ଏବଂ ସେଗୁଡ଼ିକୁ ପୂରଣ
କରିବାର ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହେଉଛି। ସେ କହିଛନ୍ତି ଯେ ନାମରୂପରେ ସ୍ଥାପିତ ହେବାକୁ
ଯାଉଥିବା ଆମୋନିଆ–ୟୁରିଆ ସର୍ବରାସାର କାରଖାନାରୁ ହଜାର ହଜାର ନୂଆ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ
ସୃଷ୍ଟି ହେବ। ପ୍ଲାଣ୍ଟ ଚାଲୁ ହେଲେ ବହୁ ସଂଖ୍ୟାରେ ଲୋକଙ୍କୁ ସ୍ଥାୟୀ ଚାକିରି ମିଳିବ ଏବଂ ଏହା
ସହ ଜଡିତ ସହାୟକ କାର୍ଯ୍ୟଗୁଡ଼ିକରେ ମଧ୍ୟ ସ୍ଥାନୀୟ ଲୋକମାନେ, ବିଶେଷକରି ଯୁବମାନେ, ରୋଜଗାର ପାଇବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା