
ନୂଆଦିଲ୍ଲୀ, 21 ଡିସେମ୍ବର (ହି.ସ)- ରେଲୱେ ୨୬ ଡିସେମ୍ବରରୁ ଯାତ୍ରୀ
ଭଡ଼ାରେ ସାମାନ୍ୟ ବୃଦ୍ଧି କରିଛି। ନୂଆ ବୃଦ୍ଧି ଅନୁଯାୟୀ, ୫୦୦ କିଲୋମିଟର ପର୍ଯ୍ୟନ୍ତ ନନ୍–ଏସି ଯାତ୍ରା ପାଇଁ
ଯାତ୍ରୀମାନଙ୍କୁ କେବଳ ୧୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ। ରେଲୱେ କହିଛି ଯେ ଗତ ଏକ ବର୍ଷରେ
ତାଙ୍କର ପରିଚାଳନା ଖର୍ଚ୍ଚ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ବଢ଼ିଛି। ଏହି କ୍ଷତି ପୂରଣ ପାଇଁ
ରେଲୱେ ଗୋଟିଏ ପଟେ ମାଲବାହନ ବଢ଼ାଉଛି ଏବଂ ଅନ୍ୟ ପଟେ ଯାତ୍ରୀ ଭଡ଼ାକୁ ସଂଶୋଧନ କରୁଛି।
ରେଳ ମନ୍ତ୍ରଣାଳୟ ରବିବାର ଏହି ସମ୍ପର୍କରେ ସୂଚନା ସେୟାର କରିଛି। ରେଲୱେ
କହିଛି ଯେ ବଢ଼ାଇଥିବା ଭଡ଼ା ୨୬ ଡିସେମ୍ବରରୁ ପ୍ରଭାବୀ ହେବ। ଏହାର ଫଳସ୍ୱରୂପ ଚାଲୁ ବର୍ଷରେ ରେଲୱେକୁ
ପ୍ରାୟ ୬୦୦ କୋଟି ଟଙ୍କାର ଅତିରିକ୍ତ ଆୟ ହେବାର ସମ୍ଭାବନା ରହିଛି। ସାଧାରଣ ଶ୍ରେଣୀରେ ୨୧୫
କିଲୋମିଟରରୁ ଅଧିକ ଦୂରତାର ଯାତ୍ରାରେ ପ୍ରତି କିଲୋମିଟରକୁ ୧ ପଇସା ଭଡ଼ା ବୃଦ୍ଧି କରାଯାଇଛି।
ମେଲ୍/ଏକ୍ସପ୍ରେସ ନନ୍–ଏସି ଶ୍ରେଣୀରେ ପ୍ରତି କିଲୋମିଟର ୨ ପଇସା ବୃଦ୍ଧି କରାଯାଇଛି। ଏସି
ଶ୍ରେଣୀରେ ମଧ୍ୟ ପ୍ରତି କିଲୋମିଟର ୨ ପଇସା ବୃଦ୍ଧି ହୋଇଛି। ନନ୍–ଏସି କୋଚ୍ରେ ୫୦୦ କିଲୋମିଟର
ଯାତ୍ରା କରିଲେ ଯାତ୍ରୀମାନେ କେବଳ ୧୦ ଟଙ୍କା ଅତିରିକ୍ତ ଦେବେ।
ଉପନଗରୀୟ ସେବା ଏବଂ ମାସିକ ସିଜନ ଟିକେଟ୍ର ଭାଡ଼ାରେ କୌଣସି ବୃଦ୍ଧି
କରାଯାଇନାହିଁ। ସାଧାରଣ ଶ୍ରେଣୀରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ମଧ୍ୟ କୌଣସି ଭଡ଼ା
ବୃଦ୍ଧି ହୋଇନାହିଁ। ମନ୍ତ୍ରଣାଳୟ କହିଛି ଯେ ଗତ ଏକ ଦଶକରେ ରେଳୱେ ନିଜର ନେଟୱାର୍କ ଏବଂ
ପରିଚାଳନାରେ ଉଲ୍ଲେଖନୀୟ ବିସ୍ତାର କରିଛି। ବଢ଼ିଥିବା ପରିଚାଳନା ସ୍ତର ଓ ସୁରକ୍ଷା ସୁଧାର ପାଇଁ
ରେଳୱେ ଜନଶକ୍ତି (ମ୍ୟାନପାୱର) ବଢ଼ାଉଛି। ଏହାର ପରିଣାମ ସ୍ୱରୂପ ଜନଶକ୍ତି ଉପରେ ହେଉଥିବା
ଖର୍ଚ୍ଚ ବଢ଼ି ୧,୧୫,୦୦୦ କୋଟି ଟଙ୍କାରେ
ପହଞ୍ଚିଛି। ପେନ୍ସନ ଖର୍ଚ୍ଚ ବଢ଼ି ୬୦,୦୦୦ କୋଟି ଟଙ୍କା ହୋଇଛି। ୨୦୨୪–୨୫ ବର୍ଷରେ ସମୁଦାୟ ପରିଚାଳନା
ଖର୍ଚ୍ଚ ବଢ଼ି ୨,୬୩,୦୦୦ କୋଟି ଟଙ୍କାରେ
ପହଞ୍ଚିଛି।
ମନ୍ତ୍ରଣାଳୟର କହିବା ଅନୁଯାୟୀ, ବଢ଼ିଥିବା ଜନଶକ୍ତି ଖର୍ଚ୍ଚକୁ ପୂରଣ କରିବା ପାଇଁ ରେଲୱେ
ଅଧିକ କାର୍ଗୋ ଲୋଡିଂ ଉପରେ ଗୁରୁତ୍ୱ ଦେଉଛି ଏବଂ ଯାତ୍ରୀ ଭାଡ଼ାରେ ସୀମିତ ଯୁକ୍ତିକରଣ
କରାଯାଇଛି। ସୁରକ୍ଷା ଏବଂ ପରିଚାଳନାରେ ସୁଧାର ପାଇଁ ଏହି ପ୍ରୟାସମାନଙ୍କ ଫଳରେ ରେଳୱେ ସୁରକ୍ଷା
କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆଣିବାରେ ସଫଳ ହୋଇଛି।
ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମାଲ ପରିବହନ କରୁଥିବା ରେଳ
ନେଟୱାର୍କ ହୋଇଯାଇଛି। ସମ୍ପ୍ରତି ପର୍ବପର୍ବାଣୀ ଋତୁ ସମୟରେ ୧୨,୦୦୦ରୁ ଅଧିକ
ଟ୍ରେନର ସଫଳ ପରିଚାଳନା ମଧ୍ୟ ଉନ୍ନତ ପରିଚାଳନା କ୍ଷମତାର ଉଦାହରଣ ଅଟେ। ରେଳୱେ ନିଜର ସାମାଜିକ
ଦାୟିତ୍ୱ ପୂରଣ କରିବା ପାଇଁ ଆଗାମୀ ଦିନରେ ମଧ୍ୟ କ୍ଷମତା ବଢ଼ାଇବା ଏବଂ ଖର୍ଚ୍ଚ ନିୟନ୍ତ୍ରଣ
କରିବାର ପ୍ରୟାସ ଜାରି ରଖିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା