
ଭାରତ ହିନ୍ଦୁସ୍ଥାନ ଓ ହିନ୍ଦୁ ସମାନାର୍ଥୀ ଅଟେ- ଭାଗବତ
କୋଲକାତା, 21 ଡିସେମ୍ବର (ହି.ସ)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର
ଶତାବ୍ଦୀ ବର୍ଷ ଅବସରରେ କୋଲକାତାରେ ଆୟୋଜିତ ବ୍ୟାଖ୍ୟାନର ଦ୍ୱିତୀୟ ଅଧିବେଶନକୁ ସମ୍ବୋଧନ କରି
ସରସଂଘଚାଳକ ଡା. ମୋହନ ଭାଗବତ କହିଛନ୍ତି ଯେ ସମାଜରେ ବିଚାରର ସ୍ପର୍ଧା ସ୍ୱାଭାବିକ, କିନ୍ତୁ ଦେଶ ଓ
ସମାଜର ହିତରେ ସମସ୍ତଙ୍କ ମନ ଏକ ହେବା ଆବଶ୍ୟକ, ଯାହାଦ୍ୱାରା ଗରିମାମୟ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ। ସେ କହିଛନ୍ତି
ଯେ ସଂଘର ମୂଳ ସ୍ୱଭାବ ମିତ୍ରତା, ସାମୂହିକତା ଓ ନିଷ୍କାମ ସେବା ଉପରେ ଆଧାରିତ ଏବଂ ଏହାହିଁ ତାହାର
ଶକ୍ତି।
‘୧୦୦ ବର୍ଷର ସଂଘ ଯାତ୍ରା – ନୂଆ କ୍ଷିତିଜ’ ଶୀର୍ଷକ ବ୍ୟାଖ୍ୟାନର
ଦ୍ୱିତୀୟ ଅଧିବେଶନରେ ସରସଂଘଚାଳକ ପାରିବାରିକ ମୂଲ୍ୟବୋଧ ଓ ପରମ୍ପରାର ସୁରକ୍ଷା ଏବଂ ସଂବର୍ଦ୍ଧନ
ଉପରେ ଜୋର ଦେଇଥିଲେ। ସେହିପରି ସଂଘର କାର୍ଯ୍ୟପଦ୍ଧତି, ତାହାର ବିଚାରଧାରାଗତ ଯାତ୍ରା ଏବଂ ଭବିଷ୍ୟତ ଏଜେଣ୍ଡା ବିଷୟରେ
ବିସ୍ତୃତ ଭାବେ ମତ ରଖିଥିଲେ। ସେ କହିଲେ ଯେ ସଂଘକୁ ବୁଝିବା ପାଇଁ ବାହାରୁ ମତ ଗଢ଼ିବା
ପରିବର୍ତ୍ତେ ଶାଖାକୁ ପ୍ରତ୍ୟକ୍ଷ ଆସି ଦେଖିବା ଓ ଅନୁଭବ କରିବା ଆବଶ୍ୟକ।
ପଞ୍ଚ ପ୍ରଣ ଉପରେ ଜୋର
ସେ ଆଚରଣ ପରିବର୍ତ୍ତନ ପାଇଁ ପାଞ୍ଚଟି ବିନ୍ଦୁ ଉପରେ ଜୋର ଦେଇଛନ୍ତି।
ଏଥିରେ ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପରିବେଶ ସୁରକ୍ଷା, ସ୍ୱଦେଶୀ ଓ
ସମ୍ବିଧାନ ସମ୍ମିଳିତ। ସେ କହିଛନ୍ତି ଯେ ମନ୍ଦିର, ପାଣି ଓ ଶ୍ମଶାନ ସମସ୍ତ ହିନ୍ଦୁଙ୍କ ପାଇଁ ସମାନ। ପରିବାରରେ ସମ୍ବାଦ
ବଢ଼ୁ, ସପ୍ତାହରେ ଗୋଟିଏ
ଦିନ ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରନ୍ତୁ ଏବଂ ପରମ୍ପରା ଉପରେ ଆଲୋଚନା କରନ୍ତୁ। ପରିବେଶ
ସୁରକ୍ଷା କେବଳ ଆଲୋଚନାରେ ସୀମିତ ନ ରହି, ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଜୀବନରେ ଅନୁଷ୍ଠିତ ହେଉ। ସ୍ୱଦେଶୀ ମାଧ୍ୟମରେ
ଆତ୍ମନିର୍ଭରତା ଓ ସ୍ୱାବଲମ୍ବନ ବଢ଼ୁ ଏବଂ ସମ୍ବିଧାନର ପ୍ରସ୍ତାବନା, ନାଗରିକ କର୍ତ୍ତବ୍ୟ
ଓ ଅଧିକାର ବିଷୟରେ ଶିଶୁମାନଙ୍କୁ ଜ୍ଞାନ ଦିଆଯାଉ।
ସେ କହିଛନ୍ତି ଯେ ସ୍ୱୟଂସେବକମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ କାମ
କରୁଛନ୍ତି ଏବଂ ସଂଘ କାହାକୁ ନିୟନ୍ତ୍ରଣ କରେନାହିଁ—ନ ବାହାରୁ, ନ ଭିତରୁ। ସଂଘକୁ
ବୁଝିବା ପାଇଁ ଡା. ହେଡଗେୱାରଙ୍କ ଚରିତ୍ର ଓ ଜୀବନକୁ ଜାଣିବା ଆବଶ୍ୟକ। ଅତ୍ୟନ୍ତ ପ୍ରତିକୂଳ
ପରିସ୍ଥିତି ଓ ଆର୍ଥିକ ଅଭାବ ସତ୍ତ୍ୱେ ଶୁଦ୍ଧ ଅନ୍ତଃକରଣ ଓ ନିଷ୍କାମ ବୁଦ୍ଧି ସହ ସେ ସଂଘର
କାର୍ଯ୍ୟ ଆରମ୍ଭ କରିଥିଲେ। ସମାଜର ସ୍ନେହ ଓ ବିଶ୍ୱାସର ଆଧାରରେ ଏହି କାର୍ଯ୍ୟ ଆଗକୁ ବଢ଼ିଲା
ଏବଂ ଏହା ଗୋଟିଏ ଈଶ୍ୱରୀୟ କାର୍ଯ୍ୟ।
ସେ କହିଛନ୍ତି ଯେ ବିଶ୍ୱର କୌଣସି ସ୍ୱୟଂସେବୀ ସଂଗଠନ ଏତେ ଅଧିକ
ବିରୋଧର ସମ୍ମୁଖୀନ ହୋଇନାହିଁ,
ଯେତେକି ସଂଘ
ହୋଇଛି। ଆକ୍ରମଣ ହୋଇଛି, ହତ୍ୟା ମଧ୍ୟ ଘଟିଛି, କିନ୍ତୁ
ସ୍ୱୟଂସେବକମାନେ କେବେ ରହିନାହାନ୍ତି। ଏହା ସତ୍ତ୍ୱେ ମଧ୍ୟ ସଂଘର ସ୍ୱୟଂସେବକମାନଙ୍କ ମନରେ
କୌଣସି କଟୁତାର ଭାବ ନାହିଁ। ସଂଘ ‘ଗୁରୁ ଦକ୍ଷିଣା’ ମାଧ୍ୟମରେ ଚାଲେ, ବାହାରୁ କୌଣସି
ସହାୟତା ଗ୍ରହଣ କରେନାହିଁ। ସଂଘ ଆର୍ଥିକ ଭାବେ ସ୍ୱାବଲମ୍ବୀ, ପାଇ ପାଇର ହିସାବ ରଖାଯାଏ ଏବଂ ନିୟମିତ ଭାବେ ଅଡିଟ୍
କରାଯାଏ।
ସରସଂଘଚାଳକ କହିଛନ୍ତି ଯେ ଦେଶର ପୌଣେ ସାତ ଲକ୍ଷ ଗାଁ ମଧ୍ୟରୁ ସାଢ଼େ
ଏକ ଲକ୍ଷରୁ ଅଧିକ ସ୍ଥାନରେ ସଂଘର ଉପସ୍ଥିତି ଅଛି। ୪୫ ହଜାର ସହର ଓ ନଗର ମଧ୍ୟରୁ ବର୍ତ୍ତମାନ
ପ୍ରାୟ ଆଧାରେ ସଂଘ ପହଞ୍ଚିଛି ଏବଂ ଅବଶିଷ୍ଟ ଆଧାରେ ପହଞ୍ଚିବା ହେଉଛି ଲକ୍ଷ୍ୟ।
ଡା. ଭାଗବତ କହିଛନ୍ତି ଯେ ସମାଜରେ ବହୁ ସଂଖ୍ୟାରେ ଏମିତି ଭଲ ଲୋକ
ଅଛନ୍ତି, ଯେଉଁମାନେ କୌଣସି
ପ୍ରସିଦ୍ଧିର ଆକାଂକ୍ଷା ବିନା ନିଜର ସମ୍ପଦ ବ୍ୟୟ କରି ସେବା କରୁଛନ୍ତି। ସଂଘ ଏହାକୁ ସମାଜର
‘ସଜ୍ଜନ ଶକ୍ତି’ ବୋଲି ମାନେ। ଏହି ସଜ୍ଜନ ଶକ୍ତିର ଏକ ନେଟୱାର୍କ ତିଆରି କରିବା, ପାରସ୍ପରିକ ସମନ୍ୱୟ
ବଢ଼ାଇବା ଓ ପୂରକତା ଆଣିବା ହେଉଛି ସଂଘର ଭୂମିକା। ବର୍ତ୍ତମାନ ସମୟ ଆସିଗଲାଣି ଯେ ଦେଶବ୍ୟାପୀ
କାର୍ଯ୍ୟକର୍ତ୍ତାମାନଙ୍କ ମାଧ୍ୟମରେ ସମାଜର ଆଚରଣରେ ପରିବର୍ତ୍ତନ ଆଣାଯାଉ।
ସଂଘ ପ୍ରମୁଖ କହିଛନ୍ତି ଯେ ହିନ୍ଦୁମାନଙ୍କର ଶକ୍ତି ଜାଗ୍ରତ ହେଉଛି
ଏବଂ ନିଶ୍ଚିତ ଭାବେ ହେବ। ଭାରତ, ହିନ୍ଦୁସ୍ଥାନ ଓ ହିନ୍ଦୁ ସମାନାର୍ଥକ ବୋଲି ସେ କହିଛନ୍ତି। ସେ ଆହୁରି
କହିଛନ୍ତି ଯେ ସମସ୍ତଙ୍କୁ ସହଯୋଗରେ ନେଇ ଆଗକୁ ବଢ଼ୁଥିବା ଯଦି କୌଣସି ସଂଗଠନ ଅଛି, ସେହିଟା ସଂଘ। ସଂଘ
ସମ୍ପୂର୍ଣ୍ଣ ସମାଜକୁ ନିଜର ଭାବେ ଦେଖେ ଏବଂ ଏହି ଆପଣାପଣିର ଆଧାରରେ ଏକତା ଗଢ଼ିଉଠେ। ସେ
ସ୍ପଷ୍ଟ କରିଛନ୍ତି ଯେ ସମସ୍ତଙ୍କର ଶାଖାକୁ ଆସିବା ଅନିବାର୍ଯ୍ୟ ନୁହେଁ, କିନ୍ତୁ ଶାଖା ପରି
ନିଷ୍କାମତା ଓ ପ୍ରାମାଣିକତାର ପ୍ରଶିକ୍ଷଣ ଦେଇଥିବା ଅନ୍ୟ କୌଣସି କାର୍ଯ୍ୟପଦ୍ଧତି ନାହିଁ। ଶେଷରେ
ଡା. ମୋହନ ଭାଗବତ କହିଛନ୍ତି ଯେ ସଂଘ କୃତିତ୍ୱ ନେବା ପାଇଁ କାମ କରେନାହିଁ, ବରଂ ସମାଜ ସହିତ
ମିଶି ରାଷ୍ଟ୍ର ନିର୍ମାଣର କାର୍ଯ୍ୟରେ ଲାଗି ରହେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା