
ଘଟଗାଁ, ୨୬ ଡିସେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ପୁଣି ଆରମ୍ଭ ହୋଇଛି ବାଲି ଲୁଟ୍। ଦୁଇ ମାସ ହେବ ଆନନ୍ଦପୁର ଉପଖଣ୍ଡର ବାଲି ଲୁଟ୍ ଅନେକାଂଶରେ କମି ଥିଲା। ହେଲେ ସପ୍ତାହେ ହେବ ବିଭିନ୍ନ ନଦୀରୁ ବାଲି ଲୁଟ୍ ହେଉଥିବା ଦେଖିବାକୁ ମିଳିଛି।
ହାଟଡିହି ତହସିଲ ଅଧୀନ ଗିରିଗାଁ ବୈତରଣୀ ନଦୀ ଘାଟରୁ ପୁଣି ବାଲି ଲୁଟ୍ ଆରମ୍ଭ ହୋଇଛି। ୫ ଦିନ ହେବ ୩ଟି ବଡ ବଡ ମେସିନ ସାହାଯ୍ୟରେ ସନ୍ଧ୍ୟାରୁ ଭୋର୍ ପର୍ଯ୍ୟନ୍ତ ବାଲି ଲୁଟ୍ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିଦିନ ୧୦୦ରୁ ଅଧିକ ବଡ ବଡ ହାଇୱା ଯୋଗେ ଏଠାରୁ ବାଲି କଲିକତା ଓ ଝାଡ଼ଖଣ୍ଡକୁ ବେଆଇନ ପରିବହନ ହେଉଛି। ସବୁଠାରୁ ବଡ କଥା ହେଉଛି ଏହି ଘାଟ ଚଳାଇବାକୁ ଏଯାଏ ଅନୁମତି ମିଳି ନାହିଁ। ଖଣି, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀଙ୍କ ଜାଣତରେ ବାଲି ଲୁଟ୍ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ସେହିପରି ଆନନ୍ଦପୁର ତହସିଲ ଅଧୀନ ବେଲବାହାଳି କୁସେଇ ନଦୀରୁ ବାଲି ଚୋରି ଆରମ୍ଭ ହୋଇଛି। ମାଫିଆ ମାନେ ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ ବଡ ମେସିନ ସାହାଯ୍ୟରେ ନଦୀରୁ ବାଲି ଉଠାଉ ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏଠାରୁ ୫୦ରୁ ଅଧିକ ହାଇୱା ଯୋଗେ ବାଲି ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ଆନନ୍ଦପୁର ତହସିଲ ଅଧିନ ଜଙ୍ଗଲ ମଝିରେ ଥିବା ବୁଢ଼ୀକୁଦ ଠାରେ ବୈତରଣୀ ନଦୀରୁ ବେଆଇନ ବାଲି ଉତୋଳନ ଓ ପରିବହନ ହେଉଛି। ଏଠାରୁ ପ୍ରଥମେ ଟ୍ରାକ୍ଟର ଯୋଗେ ବାଲି ଲୋଡ୍ କରାଯାଇ ପାହାଡ଼ର ଅପରପର୍ଶ୍ୱକୁ ଅଣାଯାଇଛି। ସେଠାରୁ ମେସିନ ଯୋଗେ ହାଇୱାରେ ବାଲି ପରିବହନ କରାଯାଉଥିବା ଦେଖିବାକୁ ମିଳୁଛି।
କିଛିଦିନର ନୀରବତା ପରେ ଆନନ୍ଦପୁର ଅଞ୍ଚଳରେ ପୁଣି ବାଲି ମାଫିଆ ମାତି ଥିବା ପରିଲକ୍ଷିତ ହେଉଛି। ତୁରନ୍ତ ମାଫିଆଙ୍କୁ ଗିରଫ କରିବା ସହ ବିଭିନ୍ନ ନଦୀରୁ ଲୁଟ୍ ହୋଇଥିବା ବାଲିର ପରିମାଣକୁ ଆକଳନ କରି ଜୋରିମାନା ଆଦାୟ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସେହିପରି ଏହି ଅପରାଧକୁ ମିଳିତ ଗୋଷ୍ଠୀଗତ ଅପରାଧ ଭାବେ ବିବେଚନା କରାଯାଇ ଆଇନ ଅନୁସାରେ ଦଣ୍ଡ ବିଧାନ କରିବାକୁ ସାଧାରଣରେ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ