
ଜୟପୁର, ୨୬ ଡିସେମ୍ବର (ହି.ସ.)- ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟର ରାୟ | ଘଟଣାର ମାତ୍ର ୧୬୫ ଦିନରେ ମାମଲାର ତ୍ବରିତ ବିଚାର କରି ଦୋଷୀକୁ ୨୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି l ସୂଚନା ଅନୁଯାଇ, ୨୦୨୫ମସିହାରେ ବନ୍ଧୁଗାଁ ଥାନା ଅଞ୍ଚଳରେ ଘଟିଥିବା ୬ ବର୍ଷିୟା ଶିଶୁକନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ୪୪ ଗୋଟି ଦସ୍ତାବିଜକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର ବନ୍ଧୁ ଗାଁ ଥାନା ଅଞ୍ଚଳର ୱେଙ୍କା ପୀଡ଼ିକା(୩୦) କୁ ପୋକ୍ସ ଆଇନର ଧାରା ୪(୨) ଅନୁଯାୟୀ ୨୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାରଟଙ୍କା ଜୋରିମାନା ଏବଂ ଧାରା ୬ ଅନୁଯାୟୀ ୨୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି | ଜୋରିମାନା ଟଙ୍କା ଅନାଦେୟ ଦୋଷୀକୁ ୧୨ ମାସ ଅଧିକା କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇଛନ୍ତି ମାନ୍ୟବର ଅଦାଲତ | ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି ଅଦାଲତ | ମାମଲାର ବିବରଣୀରୁ ପ୍ରକାଶ ଯେ, ୬.୭.୨୦୨୫ ରବିବାର ଦିନ ପୀଡିତା ଶିଶୁକନ୍ୟାକୁ ତା' ବାପା ଜମି ପାଖରେ ଥିବା ସମ୍ପର୍କୀୟ ଘରେ ଛାଡି ଜମିକୁ ଯାଇଥିଲେ | ସନ୍ଧ୍ୟାରେ ଜମିରୁ ଫେରି ଝିଅକୁଧରି ଘରକୁ ଫେରିଥିଲେ | ତା' ପରଦିନ ସକାଳେ ପୀଡିତା ଶିଶୁକନ୍ୟା ୱେଙ୍କା ନିଜ କୁଡ଼ିଆକୁ ଡାକି ନେଇ ଦୁଷ୍କର୍ମ କରିଥିବା କଥା ବାପା ମାଙ୍କୁ କହିଥିଲା | ଝିଅଠାରୁ ଘଟଣା ବିଷୟରେ ଜାଣିବା ପରେ ଶିଶୁକନ୍ୟାର ପିତାମାତା ୱେଙ୍କା ଘରକୁ ଯାଇ ତାକୁ ପାଟି ତୁଣ୍ଡ କରିଥିଲେ ଏବଂ ବନ୍ଧୁଗାଁ ଥାନାରେ ବାପା ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ବନ୍ଧୁଗାଁ ଥାନାର ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ ଏବଂ ମୋକଦ୍ଦମା ରେଡ ଫ୍ଲାଗ ପରିସରଭୁକ୍ତ ହେବା ପରେ ୱେଙ୍କା ପୀଡିକାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ କୋର୍ଟରେ ସାତ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିଥିଲେ | ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡ଼କ୍ଟର ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପିକେପି