
କୋରେଇ,୨୬ ଡ଼ିସେମ୍ବର (ହି.ସ.)- ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଣିକୋଇଲିି ଟ୍ରମା କେୟାରକୁ ପିପିପି ମୋଡରେ ଖୋଲିବାକୁ ଘୋଷଣା କରିବା ପରେ କେବଳ ପାଣିକୋଇଲି ନୁହେଁ ସମଗ୍ର କୋରେଇ ଅଂଚଳରେ ଦଳଗତ ନିର୍ବିଶେଷର ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘୋଷଣାର ପ୍ରଥମ ଦିନ ଏହାକୁ ବିରୋଧ କରି ଟ୍ରମା ସେଂଟର ସମ୍ମୁଖରେ ଯାଜପୁର ୟୁଥ ଫୋରମ ପକ୍ଷରୁ ପ୍ରତିବାଦ ଓ ଧାରଣା ଦିଆଯାଇଥିଲା । ଆଜି ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାଣିକୋଇଲି ଟ୍ରମା ସେଂଟରର ପିପିପି ମୋଡରେ ପରିଚାଳନା କରାଯିବା ନିଷ୍ପତିକୁ ପ୍ରତ୍ୟାହର କରିବା ଓ ଅବିଳମ୍ବେ ଉକ୍ତ ଟ୍ରମା କେୟାର ସେଂଟରକୁ ସରକାରୀଭାବେ ଏକ ୨୪ ଘଂଟିଆ ଚିକତ୍ସା କେନ୍ଦ୍ର ଏବଂ ଟ୍ରମା କେୟାର ସେଂଟର ଭାବରେ କାର୍ଯ୍ୟକ୍ଷମ କରାଯାଇ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିନ୍ତ କରିବା ଦାବିରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ରେଶରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହାର ନକଲ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସଂସଦ ଓ କୋରେଇ ବିଧାୟକଙ୍କ ନିକଟକୁ ପଠାଯାଇଛି । ପୁନଃର୍ବିଚାର ଦାବିରେ କ୍ରିୟାନୁଷ୍ଠାନ କମିଟି ବିଧାୟକ ଓ ସାଂସଦଙ୍କୁ ଭେଟି ଆଲୋଚନା କରିବା ସହ ଯଦି ନିଷ୍ପତି ପ୍ରତ୍ୟାହର ନହୁଏ ତାହେଲେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଜଣାପଡିଛି । ନୂତନ ସରକାରଙ୍କ ଠାରୁ ଅଧିକ ଅଶା ରଖିଥିବା କୋରେଇବାସୀ ଏବେ ନିରାଶ ହୋଇଛନ୍ତି । ଫଳରେ ଅସନ୍ତୋଷ ବୃଦ୍ଧି ପାଇବା ସ୍ୱଭାବିକ ହୋଇଛି । ବିଧାୟକ ଆକାଶ ଦାସ ନାୟକ ଭିତିଭୂମିକୁ ଦେଖି ଟ୍ରମା କେୟାର ପରିବର୍ତେ ଏହାକୁ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଚିଠି ଲେଖିଥିଲେ । ହେଲେ ଏହା କାର୍ଯ୍ୟକାରୀ ହେବା ପରିବର୍ତେ ଏହାକୁ ବେସରକାରୀ ସଂସ୍ଥା ହାତରେ ଟେକି ଦେବାକୁ ଯେଉଁ ଅଦୃଶ୍ୟ ଶକ୍ତି କାମ କରୁଛି ତାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୁବାସ ଧଳ, ଡାକ୍ତର ନିର୍ମଳ ରଥ, ନୃସିଂହ ଚରଣ ଦଳାଇ, ସୁରେନ୍ଦ୍ର ରାୟ, ବିପିନ ବିହାରୀ ଧଳ, ତାରିଣୀ ପଟ୍ଟନାୟକ, ଶଶିକାନ୍ତ ମଲ୍ଲିକ, ଆଲୋକ ମହାନ୍ତି, ମନୋଜ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ