
ଭୁବନେଶ୍ୱର, 26 ଡିସେମ୍ବର (ହି.ସ)ରାଜ୍ୟର ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ସ୍ଥିତ ଶ୍ୟାମ ସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ ଯୋଗଦେଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ଗଠନ ଓ ବିକାଶରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ।
ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସାଧନରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ କେବଳ ଶିକ୍ଷା ଦେଇନଥାଇ ଚରିତ୍ର ଗଠନ ସହ ଛାତ୍ରଛାତ୍ରୀମାନଙ୍କୁ ବିବେକବାନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳେ ବୋଲି ସେ ମତ ପ୍ରକାଶ କରିଥିଲେ।
ଶିକ୍ଷାର ମନ୍ଦିରରେ ଗଢ଼ା ଛାତ୍ରଛାତ୍ରୀମାନେ ହିଁ ଭବିଷ୍ୟତରେ ‘ଭଗୀରଥ’ ସାଜି ବିକାଶର ଧାରାକୁ ଆଗକୁ ନେଇପାରିବେ ବୋଲି କହିବା ସହ ମନ୍ତ୍ରୀ, ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଛାତ୍ରଛାତ୍ରୀମାନେ ରାଷ୍ଟ୍ର ମଙ୍ଗଳରେ ବଡ଼ ଅବଦାନ ରଖିପାରିବେ ବୋଲି କହିଥିଲେ । ଶିକ୍ଷା ମାଧ୍ୟମରେ ଦେଶପ୍ରେମ ଜାଗ୍ରତ ହେଉ ଏବଂ ନିଜ ଅଞ୍ଚଳର ଉନ୍ନତି ପାଇଁ ପିଲାମାନେ ପ୍ରେରିତ ହେଉନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡଃ ରବିନାରାୟଣ ବେହେରା, ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟ ସହ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ