
ବଲାଙ୍ଗିର, ୨୬ ଡିସେମ୍ବର(ହି.ସ.) – ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଂଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨ ଟିକିଆ ହାତୀପଲ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ଲାଠୋର ବନବିଭାଗର ଘୋର ଅବହେଳାକୁ ପୁଣିଥରେ ସ୍ପଷ୍ଟ କରିଦେଇଛି। ଏହି ହୃଦୟ ବିଦାରକ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଓ ମା’ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଜୀବନ ସହ ଲଢ଼ୁଛନ୍ତି। ମୃତକ ମହିଳା ହେଲେ ଫୁଲମତି ନାଗ(୪୫)। ସେ ତାଙ୍କ ସ୍ୱାମୀ ଗୌତମ ନାଗ ସହ କଂଟାବାଞ୍ଜି ନିକଟସ୍ଥ ଫୁଲକାନୀ ଗ୍ରାମରୁ ନିଜ ମା’ ଘର ଚହକପଡ଼ାକୁ ଆସିଥିଲେ। ହାତୀପଲ ଘର ଭାଙ୍ଗି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଫୁଲମତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୌତମ ନାଗ ଓ ମା’ ଖୁଦ ନାଗ ଗୁରୁତର ଆହତ ହୋଇ ବର୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଗତ ଚାରିଦିନ ହେଲା ବେନ୍ଦେର ଅଂଚଳରେ ହାତୀପଲ ଘୁରୁଥିବା ସତ୍ୱେ ଲାଠୋର ବନବିଭାଗ ଲୋକଙ୍କୁ କୌଣସି ପୂର୍ବ ସଚେତନତା, ମାଇକ୍ ପ୍ରଚାର କିମ୍ବା ସୁରକ୍ଷା ବ୍ୟବସ୍ଥା ନେଇନଥିଲା। ବନବିଭାଗର ଏହି ନିଷ୍କ୍ରିୟତା ଓ ଦାୟିତ୍ୱହୀନତା ଯୋଗୁଁ ଆଜି ଜଣେ ନିର୍ଦୋଷ ମହିଳାଙ୍କ ଜୀବନ ଚାଲିଗଲା ବୋଲି ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣା ପରେ ବନବିଭାଗ ଓ ଲାଠୋର ପୋଲିସ ଘଟଣାସ୍ଥଳକୁ ପହଂଚି ଛାନଭିନ ଆରମ୍ଭ କରିଥିଲେ ମଧ୍ୟ, “ମୃତ୍ୟୁ ପରେ ପ୍ରଶାସନ” ନୀତିକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଯଦି ସଚେତନତା ହେଇଥାନ୍ତା, ଏହି ମୃତ୍ୟୁ ରୋକାଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏହି ଘଟଣା ଲାଠୋର ବନବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଦେଇଛି। ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପ୍ରଭାବିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ