
ନୂଆଦିଲ୍ଲୀ, 28 ଡିସେମ୍ବର (ହି.ସ.)- ରବିବାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମର ୧୨୯ତମ ଏପିସୋଡ୍ରେ ସେ
୨୦୨୫ ମସିହାର ଅନେକ ସ୍ମରଣୀୟ ମୁହୂର୍ତ୍ତକୁ ସ୍ମରଣ କରିଥିଲେ। ଏଥିରେ ୨୦୨୫ ଆଇସିସି ଚାମ୍ପିଆନ୍ସ
ଟ୍ରଫିରେ ପୁରୁଷ କ୍ରିକେଟ୍ ଦଳର ବିଜୟ, ପ୍ରଥମଥର ପାଇଁ ମହିଳା କ୍ରିକେଟ୍ ବିଶ୍ୱକପ୍ ଟାଇଟେଲ, ମହିଳା ବ୍ଲାଇଣ୍ଡ
ଟି୨୦ ବିଶ୍ୱକପ୍, ଏସିଆ କପ୍ ଟି୨୦ରେ
ସଫଳତା, ପ୍ୟାରା
ଖେଳାଳିମାନଙ୍କ ପଦକ, ଶୁଭାଂଶୁ
ଶୁକ୍ଲାଙ୍କ ଆନ୍ତର୍ଜାତୀୟ ଅନ୍ତରିକ୍ଷ କେନ୍ଦ୍ର (ଆଇଏସଏସ) ପହଞ୍ଚିବାରେ ପ୍ରଥମ ଭାରତୀୟ ହେବା, ପ୍ରୟାଗରାଜ
ମହାକୁମ୍ଭ ଓ ଅଯୋଧ୍ୟାରେ ରାମମନ୍ଦିରରେ ଧ୍ୱଜାରୋହଣ ଭଳି ଅନେକ ଘଟଣା ସମ୍ମିଳିତ ଥିଲା।
ଏହା ସହିତ ପ୍ରଧାନମନ୍ତ୍ରୀ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୨୫, ଆଇଆଇଏସସିର
ଗୀତାଞ୍ଜଳି ସାଂସ୍କୃତିକ କେନ୍ଦ୍ର ଓ ଦୁବାଇର କନ୍ନଡ଼ ପାଠଶାଳା ଭଳି ପ୍ରେରଣାଦାୟକ
ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ୨୦୨୬ ମସିହାର ଚ୍ୟାଲେଞ୍ଜ, ସମ୍ଭାବନା ଓ ବିକାଶ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା
କରିଥିଲେ। ଏହା ୨୦୨୫ ମସିହାର ‘ମନ କୀ ବାତ’ କାର୍ଯ୍ୟକ୍ରମର ଶେଷ ଏପିସୋଡ୍ ଥିଲା, ଯେଉଁଥିରେ
ପ୍ରଧାନମନ୍ତ୍ରୀ ୨୦୨୫ ର ପ୍ରମୁଖ ସଫଳତା, ନୂତନ ବର୍ଷ ୨୦୨୬ ର ଚ୍ୟାଲେଞ୍ଜ, ସମ୍ଭାବନା ଓ ବିକାଶ ଉପରେ ମତ ରଖିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ଦିନ ମଧ୍ୟରେ ୨୦୨୬ ମସିହା
ଆସିବାକୁ ଯାଉଛି ଓ ତାଙ୍କ ମନରେ ସମ୍ପୂର୍ଣ୍ଣ ଏକ ବର୍ଷର ସ୍ମୃତି ଘୁରିଘୁରି ଆସୁଛି। ୨୦୨୫
ମସିହା ଭାରତକୁ ଏମିତି ଅନେକ ମୁହୂର୍ତ୍ତ ଦେଇଛି, ଯାହା ଦେଶକୁ ଏକତ୍ର କରିଛି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବର
ଅନୁଭୂତି ଦେଇଛି। ଦେଶର ସୁରକ୍ଷାରୁ ଆରମ୍ଭ କରି କ୍ରୀଡ଼ା, ବିଜ୍ଞାନ, ଅନ୍ତରିକ୍ଷ ଓ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ ଭାରତ ନିଜର ସଶକ୍ତ ଛାପ
ଛାଡ଼ିଛି। ଏହି ସମୟ ହେଉଛି ସେହି ସଫଳତାକୁ ସ୍ମରଣ କରି ନୂଆ ସଙ୍କଳ୍ପ ନେବାର।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଯୁବଶକ୍ତି ମଧ୍ୟରେ କିଛି ନୂଆ
କରିବାର ଜୋଶ ଅଛି ଏବଂ ସେମାନେ ସଚେତନ ମଧ୍ୟ। ଯୁବମାନଙ୍କର ଲଗନ ହେଉଛି ବିକଶିତ ଭାରତ ନିର୍ମାଣର
ସବୁଠାରୁ ବଡ଼ ଶକ୍ତି, ଏବଂ ୨୦୨୫ ମସିହାରେ
ଏମିତି ଅନେକ ମୁହୂର୍ତ୍ତ ଆସିଥିଲା ଯାହାଦ୍ୱାରା ଯୁବ ଗର୍ବ ଅନୁଭବ କରିଥିଲେ।
ସେ କହିଛନ୍ତି ଯେ ୨୦୨୫ ମସିହା କ୍ରୀଡ଼ା ଦୃଷ୍ଟିକୋଣରୁ ଐତିହାସିକ ଓ
ସ୍ମରଣୀୟ ରହିଛି। ପୁରୁଷ କ୍ରିକେଟ୍ ଦଳ ୨୦୨୫ ମସିହାରେ ଆଇସିସି ଚ୍ୟାମ୍ପିଅନ୍ସ ଟ୍ରଫି
ଜିତିଥିଲା। ସେହିପରି ମହିଳା କ୍ରିକେଟ୍ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ନିଜ ନାମରେ କରିଥିଲା।
ଭାରତର ଝିଅମାନେ ମହିଳା ବ୍ଲାଇଣ୍ଡ ଟି୨୦ ବିଶ୍ୱକପ୍ ଜିତି ନୂଆ ଇତିହାସ ସୃଷ୍ଟି କରିଥିଲେ। ଏସିଆ
କପ୍ ଟି୨୦ରେ ତ୍ରିରଙ୍ଗା ଗର୍ବର ସହ ଉଡ଼ିଥିଲା। ପାରା ଖେଳାଳିମାନେ ବିଶ୍ୱ ଚ୍ୟାମ୍ପିଅନ୍ସିପ୍ରେ
ଅନେକ ପଦକ ଜିତି ଦେଶର ଗୌରବ ବଢ଼ାଇଥିଲେ। ଏହି ସମସ୍ତ ସଫଳତା ୨୦୨୫ ମସିହାକୁ କ୍ରୀଡ଼ା
ଇତିହାସରେ ବିଶେଷ ସ୍ଥାନ ଦେଇଛି।
ସେ କହିଛନ୍ତି ଯେ ବିଜ୍ଞାନ ଓ ଅନ୍ତରିକ୍ଷ କ୍ଷେତ୍ରରେ ଭାରତ ବଡ଼ ଲମ୍ଫ
ମାରିଛି। ୨୦୨୫ ମସିହାରେ ଶୁଭାଂଶୁ ଶୁକ୍ଲା ଆନ୍ତର୍ଜାତୀୟ ଅନ୍ତରିକ୍ଷ କେନ୍ଦ୍ର (ଆଇଏସଏସ)
ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏହି ସଫଳତା ଭାରତର ଅନ୍ତରିକ୍ଷ କ୍ଷମତା, ପ୍ରାଯୁକ୍ତିକ କୌଶଳ
ଓ ବୈଜ୍ଞାନିକ ପ୍ରଗତିର ଏକ ବିଶ୍ୱସ୍ତରୀୟ ପ୍ରମାଣ ହୋଇଥିଲା।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୫ ମସିହାରେ ଆସ୍ଥା, ସଂସ୍କୃତି ଓ
ଐତିହ୍ୟର ସାମୂହିକ ଶକ୍ତି ମଧ୍ୟ ପ୍ରକାଶ ପାଇଥିଲା। ବର୍ଷର ଆରମ୍ଭରେ ପ୍ରୟାଗରାଜ ମହାକୁମ୍ଭର
ଆୟୋଜନ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଥିଲା, ଯେଉଁଥିରେ ବର୍ଷର ଶେଷରେ ଅଯୋଧ୍ୟାରେ ରାମମନ୍ଦିରରେ ଧ୍ୱଜାରୋହଣ
କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରିଦେଇଥିଲା। ଏହି ବର୍ଷ ଭାରତର ସାଂସ୍କୃତିକ
ଏକତା ଓ ଆଧ୍ୟାତ୍ମିକ ଚେତନାର ବର୍ଷ ଭାବେ ମଧ୍ୟ ପରିଚିତ ରହିଛି।
ପ୍ରଧାନମନ୍ତ୍ରୀ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୨୫ ବିଷୟରେ ଉଲ୍ଲେଖ
କରି କହିଥିଲେ ଯେ ଏହି ମାସରେ ଏହାର ସମାପ୍ତି ହୋଇଛି। ଏଥିରେ ୮୦ ଠାରୁ ଅଧିକ ସରକାରୀ ବିଭାଗର
୨୭୦ ଠାରୁ ଅଧିକ ସମସ୍ୟା ଉପରେ ଛାତ୍ରଛାତ୍ରୀମାନେ କାମ କରିଥିଲେ। ଛାତ୍ରମାନେ ପ୍ରକୃତ ଜୀବନର
ସମସ୍ୟାସହ ସଂପୃକ୍ତ ନୂତନ ଓ ସୃଜନାତ୍ମକ ସମାଧାନ ପ୍ରସ୍ତୁତ କରିଥିଲେ, ଯାହା ଶାସନ ଓ ସମାଜ
ପାଇଁ ଉପକାରୀ ସିଦ୍ଧ ହେବ।
ପ୍ରଧାନମନ୍ତ୍ରୀ ଭାରତୀୟ ଶିକ୍ଷା ପରିସର ମଧ୍ୟରେ ଗଢ଼ିଉଠୁଥିବା
ସାଂସ୍କୃତିକ ନବଜାଗରଣକୁ ଉଲ୍ଲେଖ କରି କହିଥିଲେ ଯେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ
ସଂସ୍ଥାନ (ଆଇଆଇଏସସି)ର ଗୀତାଞ୍ଜଳି କେନ୍ଦ୍ର ଏବେ କେବଳ ଏକ କ୍ଲାସ୍ରୁମ୍ ନୁହେଁ, ବରଂ ସମ୍ପୂର୍ଣ୍ଣ
ପରିସରର ସାଂସ୍କୃତିକ କେନ୍ଦ୍ରରେ ପରିଣତ ହୋଇଛି। ଏଠାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ, ଲୋକ ପରମ୍ପରା ଓ
ଶାସ୍ତ୍ରୀୟ କଳାର ସୁନ୍ଦର ସମ୍ମିଳନ ଦେଖିବାକୁ ମିଳେ। ଛାତ୍ର, ପ୍ରଫେସର ଓ ତାଙ୍କ
ପରିବାରସଦସ୍ୟମାନେ ଏକାଠି ବସି ରିଆଜ ଓ ସଂଳାପ ମାଧ୍ୟମରେ ସାଂସ୍କୃତିକ ଚେତନାକୁ ଆଗେଇ
ନେଉଛନ୍ତି।
ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ସମୁଦାୟ ଦ୍ୱାରା ମାତୃଭାଷା
ସୁରକ୍ଷା ପାଇଁ ହେଉଥିବା ପ୍ରୟାସକୁ ସାଧୁବାଦ ଜଣାଇ ଦୁବାଇରେ ବସବାସ କରୁଥିବା କନ୍ନଡ଼
ପରିବାରମାନଙ୍କ ପଦକ୍ଷେପ ‘କନ୍ନଡ଼ ପାଠଶାଳା’ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି
ପରିବାରମାନେ ନିଜେ ନିଜକୁ ପ୍ରଶ୍ନ କରିଥିଲେ ଯେ ଶିଶୁମାନେ ପ୍ରଯୁକ୍ତିମୟ ଜଗତରେ ଆଗକୁ
ବଢ଼ୁଛନ୍ତି, କିନ୍ତୁ କେଉଁଠି ନା
ନିଜ ଭାଷାଠାରୁ ଦୂର ହୋଇଯାଉନି। ଏହି ପ୍ରଶ୍ନରୁ ‘କନ୍ନଡ଼ ପାଠଶାଳା’ର ଜନ୍ମ ହୋଇଥିଲା, ଯେଉଁଠାରେ
ଶିଶୁମାନଙ୍କୁ କନ୍ନଡ଼ ପଢ଼ିବା,
ଲେଖିବା ଓ କହିବା
ଶିଖାଯାଉଛି। ଏହି ପ୍ରୟାସ ପ୍ରବାସୀ ସମାଜରେ ଭାଷା ଓ ସଂସ୍କୃତି ସୁରକ୍ଷାର ଏକ ପ୍ରେରଣାଦାୟକ
ମଡେଲ୍ ଅଟେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୫ ମସିହାର ସଫଳତାଗୁଡ଼ିକ ଭାରତର
ସାମୂହିକ ଶକ୍ତିର ପ୍ରମାଣ ଓ ୨୦୨୬ ମସିହା ନୂତନ ଲକ୍ଷ୍ୟ, ସଙ୍କଳ୍ପ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାର ବର୍ଷ
ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା