
ଜୟପୁର, 31 ଡିସେମ୍ବର (ହି.ସ.)- ପୂବ କାଳରେ କଂସା ବାସନ କୁସନ ଖାଇବା
ତଥା କଂସା ଗ୍ଲାସ ପାଣି ପିଇବା ଗୋଟିଏ
ଆଭିଜାତ୍ୟର ପରିଚୟ ଥିଲା । ପୂଜା ପାର୍ବଣରେ କଂସା ବାସନକୁ ଶୁଦ୍ଧ ବୋଲି
ଲୋକେ ବ୍ୟବହାର କରୁଥିଲେ । ପୂର୍ବ ପିଢ଼ିର ଲୋକମାନେ ଷ୍ଟିଲ କିମ୍ବା
ଆଲୁମିନିୟମର ବାସନରେ ଖାଇବା ପାଇ
ପସନ୍ଦ କରୁ ନ ଥିଲେ । ଏବେ ଷ୍ଟିଲ ଆଲୁମିନିୟମ ବାସନ ଅପେକ୍ଷା ଲୋକେ
ପ୍ଲାଷ୍ଟିକ, ଫାଇବର ଏବଂ ଚିନାମାଟି ବାସନ କୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ
ଆଧୁନିକତାର ପ୍ରଭାବରେ ଆମ ଠାରୁ ଦୂରେଇବାକୁ ବସିଛି ପାରମ୍ପରିକ ବାସନ
କୁସନ । କଂସା ବାସନ କୁସନର ଆଦର କମିବାକୁ ବସିଲାଣି । ତେଣୁ କଂସା ବାସନ
ତିଆରି କରି ପରିବାର ପୋଷୁ ଥିବା ବହୁ ପରିବାର ରୋଜଗାର ଶୂନ୍ୟ ହେବାକୁ
ବସିଲେଣି । କାଳକ୍ରମେ ପରିସ୍ଥିତି ସହ ଖାପ ଖୁଆଇବାକୁ ଯାଇ ଏବଂ କ୍ଷତିଗ୍ରସ୍ତ ହୋଇ କଂସାରୀମାନେ ନିଜ କୌଳିକ ବୃତ୍ତି ଛାଡିବାକୁ ବସିଲେଣି । କଂସା ବାସନ କୁସନ ତିଆରି ଛାଡି ଅନ୍ୟ ବୃତ୍ତିକୁ ଆପଣାଉଛନ୍ତି । କଂସାରୀମାନେ ମୁଖ୍ୟତଃ କଂସା ଓ ପିତଳରେ ବିଭିନ୍ନ ଘର କରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ତାହା ବିଭିନ୍ନ ହାଟ କିମ୍ବା ଦୋକାନରେ ବିକ୍ରି କରିଥାନ୍ତି । ତେବେ କଂସା ଓ ପିତଳ ସାମଗ୍ରୀ ଠିକ୍ ଭାବେ ବିକ୍ରି ହେଉ ନ ଥିବାରୁ କାଳକ୍ରମେ ସେମାନେ କୌଳିକ ବୃତ୍ତିରୁ ମୋହ ତୁଟାଇ ଦେଉଛନ୍ତି ।
କଂସା ପିତଳର ବାସନର ଅପେକ୍ଷାକୃତ ଅଧିକ ଦର ଷ୍ଟିଲ, ଆଲୁମିନିୟମ, ଫାଇବାର,
ପ୍ଲାଷ୍ଟିକ, ନନଷ୍ଟିକ ଘରକରଣା ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ କଂସା ପିତଳର
ଚାହିଦା କମିଗଲା । ଝିଅ ବାହା ଘର ସମୟରେ କଂସା ଗଡୁ, ବାଲଟି, ହଣ୍ଡା,
କଢେଇ, ଗିନା, ଥାଳି ଇତ୍ୟାଦି ସାମଗ୍ରୀ ଦେବାର ବିଧି ରହିଥିଲା । ଆଉ ଝିଅ
ବାହା ଘରରେ କଂସା କିମ୍ବା ପିତଳ ଜିନିଷ ଲୋକେ ଦେଉ ନାହାଁନ୍ତି । ତେଣୁ
କଂସା ବାସନ ତିଆରି କରୁଥିବା ପରିବାର ଏବେ କୌଳିକ ବୃତ୍ତ
ହରାଇବାକୁ ବସିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି