
ବଲାଙ୍ଗୀର, ୩୧ ଡିସେମ୍ବର(ହି.ସ.) – ଫାଇଲେରିଆ ନିରାକରଣ ଅଭିଯାନ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ୧୦ ଫେବୃୟାରୀ ୨୦୨୬ରୁ ଜିଲ୍ଲାରେ ଆରମ୍ଭ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ, ଗ୍ରହଣ କରାଯାଉଥିବା ପ୍ରମୁଖ ରଣନୈତିକ କାର୍ଯ୍ୟକଳାପ, ଏମଡିଏ କାର୍ଯ୍ୟକ୍ରମ ଓ ଅନୁପାଳନ ସୁନିଶ୍ଚିତ କରିବାରେ ଅଂଶଗ୍ରହଣକାରୀ ବିଭାଗ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏହି ଅଭିଯାନରେ ବଲାଙ୍ଗିର ଜିଲ୍ଲାର ପ୍ରଭାବିତ ପୌରପରିଷଦ ଓ ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ରୋଗ ଦ୍ୱାରା ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତି ଯେପରି ନିର୍ଦ୍ଧାରିତ ଔଷଧ ସେବନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଘରକୁ ଘର ବୁଲି ଆଂଟି-ଫାଇଲେରିଆଲ ଔଷଧ ବଂଟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାରେ ହେଉଥିବା ଏହି ଏମଡିଏ ଅଭିଯାନରେ ଯେପରି କେହି ବାଦ୍ ନ ପଡ଼ିବେ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ।
ଫେବୃୟାରୀ ୧୦ ତାରିଖରୁ ପ୍ରଥମ ଭାବେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିହ୍ନଟ ହୋଇଥିବା ପୌରପରିଷଦ ଓ ବ୍ଲକବାସୀଙ୍କୁ ଏହି ଔଷଧ ମାଗଣାରେ ପ୍ରଦାନ କରାଯିବ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଭାବଶାଳୀ ଆଇଇସି କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଆଶା କର୍ମୀ ଓ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ପ୍ରତି ଘର, ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନକୁ ଯାଇ ସମସ୍ତ ଚିହ୍ନଟ ବ୍ୟକ୍ତିଙ୍କୁ ଫାଇଲେରିଆ ବଟିକା ଖୁଆଇବା, ଔଷଧ ସେବନ ସୁନିଶ୍ଚିତ କରିବା, ତୃଣମୂଳ ସ୍ତରରୁ ଲକ୍ଷ୍ୟଭିତିକ ଭାବେ କାର୍ଯ୍ୟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀ ଡାଃ. ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ. ନମିତା ମିଶ୍ର, ଜିଲ୍ଲା ଭେକ୍ଟର ବର୍ଣ୍ଣ ଡିଜିଜ୍ ର ପରାମର୍ଶଦାତା ସୁରେଶ ସ୍ୱାଇଁ, ଜୋନାଲ ମୁଖ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ଡାଃ. ଶ୍ୟାମ ବନ୍ଧୁ ରଥ ପ୍ରମୁଖ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ