
ବଲାଙ୍ଗୀର, ୩୧ ଡିସେମ୍ବର(ହି.ସ.) – ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ପଂଚାୟତ ରାକ୍ଷୀଉଡ଼ାର ଠାରେ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ୧୬୭ ତମ ବୀରତା ଦିବସ ପାଳନ ହୋଇ ଯାଇଛି। ଆଜିର ବୀରତା ଦିବସରେ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ସଭାପତିତ୍ୱ କରିଥିଲେ। ପୃଥିବୀ ଇତିହାସରେ ଘେଁସ ଜମିଦାର ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବରିହାଙ୍କ ବଳିଦାନ, ତ୍ୟାଗ ବିରଳ ଘଟଣା। ଇଂରେଜ ମାନେ ଭାରତକୁ ଆସି ଭାରତୀୟମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର, ଶୋଷଣ, ଦମନ କରୁଥିଲେ। ଜୋର ଜବରଦସ୍ତ ଖଜଣା ନେଉଥିଲେ। ଭାରତକୁ ସ୍ୱାଧୀନତା ଆଣିବା ପାଇଁ ଭାରତବାସୀଙ୍କୁ ସ୍ୱାଧୀନତା ଦେବାର ଲାଗି ମାଧୋ ସିଂ ବରିହା ଇଂରେଜ ମାନଙ୍କ ବିରୋଧରେ ଅହରହ ଆନ୍ଦୋଳନ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସପରିବାରର ଚାରି ଜଣ ପୁଅ ଅଏରୀ ସିଂ ବରିହା, ବଏରୀ ସିଂ ବରିହା, କୁଞ୍ଜଳ ସିଂ ବରିହା, ହଟେ ସିଂ ବରିହା ଏବଂ ତାଙ୍କର ସମୁଦୀ ନାରାୟଣ ସିଂ ବରିହା, ଜ୍ୱାଇଁ ଗୋବିନ୍ଦ ସିଂ ବରିହା ଝାସ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମରେ ମାଧୋ ସିଂ ବରିହାଙ୍କର ବଳିଦାନ ତ୍ୟାଗ ପୃଥିବୀ ଇତିହାସରେ ବିରଳ। ଆଜିର ସଭାରେ ସେହି ମହାନ ଆତ୍ମାକୁ ମନେ ପକେଇ, ତାଙ୍କର ସଂଗ୍ରାମ, ଲଢ଼େଇ, ବୀରତା, ଧର୍ଯ୍ୟ, ସାହସ ବିଷୟରେ ଅନୁକରଣ କରି ତାଙ୍କ ପଥରେ ଆଗେଇ ଯାଇ ଆଦିବାସୀମାନେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମ୍ବିଧାନକୁ ସମ୍ମାନ ସୁରକ୍ଷା ଦେଇ ହକ ଅଧିକାର ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ। ବର୍ତମାନ ରାଜ୍ୟ ସରକାର ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକେଇବାକୁ, ତାଙ୍କର ଇତିହାସକୁ ପ୍ରଚାର ପ୍ରସାର କରିବା ପାଇଁ ୨୫ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାଁ ଘୋଷଣା କରିଛନ୍ତି ସ୍ୱାଗତ ପ୍ରସ୍ତାବ କିନ୍ତୁ ଦୁଃଖର ବିଷୟ ସେହି ତାଲିକାରେ କେବଳ ମାଧୋ ସିଂ ଲେଖା ହୋଇଛି ବରିହାକୁ ଛାଡ଼ି ଦିଆ ଯାଇଛି ଏହାକୁ ସଂଶୋଧନ କରି ମାଧୋ ସିଂ ବରିହା କରାଯାଉ। ମାଧୋ ସିଂ ବରିହାଙ୍କ ବଳିଦାନ ବିଷୟ ବିଦ୍ୟାଳୟ ପୁସ୍ତକ ମାନଙ୍କରେ ଲିପିବଦ୍ଧ କଲେ ଛାତ୍ରଛାତ୍ରୀମାନେ ଇତିହାସ ବିଷୟରେ ଜାଣି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ। ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ତାଙ୍କର ପ୍ରତିମୂର୍ତି ସ୍ଥାପନ କରାଯାଉ। ଆଜିର ବୀରତା ଦିବସରେ ଜିଲ୍ଲା ଶବର ସମାଜର ଜିଲ୍ଲା ସଭାପତି ସାରଥୀ ବାଗ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ,ପୂର୍ବତନ ସୈନିକ ଯୋଗେଶ୍ୱର ଭୋଇ, ଧବଳେଶ୍ୱର ଭୋଇ, ଝସକେତନ ରା଼ଏ, ଦାରା ସିଂ ବରିହା, ଶେଷଦେବ ବେହେରା, ପୁର୍ଣ ବୁଡ଼େକ, ରୋହିତ ବୁଡ଼େକ, ହୀରାଧର ଭୋଇ, ମଦନ ମାଝୀ, ଯଂଜ୍ଞ ଧରୁଆ, ଭୋଳା ସାଗର ବାରଲେବଡ଼ିଆ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସଂଯୋଜକ ଗୌରାଙ୍ଗ ବରିହା ସଭା ସଂଯୋଜନା କରିଥିଲେ ପିଂଟୁ ବୁଡ଼େକ ଧନ୍ୟବାଦ ଦେଇଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ