
ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ବଡ଼ଦିନ ତଥା ନୂଆବର୍ଷକୁ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଚଳିତ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ଅବକାରୀ ବିଭାଗର ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୧ତମ ଦିନରେ ୨୬୯ଟି ମାମଲା ରୁଜୁ କରାଯିବା ସହ ୧.୨୭ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯାନ ସମୟରେ ୬୦ ଜଣଙ୍କୁ ଗିରଫ କରାଯାଇଛି ଯେଉଁଥିରେ ଏନଡିପିଏସ୍ ଆଇନ ଅଧୀନରେ ୬ଟି ମାମଲା ରହିଛି । ଏହା ସହ ବେଆଇନ କାରବାରରେ ବ୍ୟବହୃତ ୧୩ଟି ଗାଡ଼ି ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ୧୩,୬୧୮ ଲିଟର ବେଆଇନ ଦେଶୀ ମଦ, ୬୩୫ ଲିଟର ଡ୍ୟୁଟି ପେଡ୍ ଲିକର ଏବଂ ୫ ଲିଟର ନକଲି ମଦ ରହିଛି । ଏହା ସହ ୧,୧୦,୧୪୦ ଲିଟର ମହୁଲି ପୋଚ, ୪,୫୫୦ କିଲୋଗ୍ରାମ ଗୁଡ଼ ପୋଚ ଏବଂ ୩୬୦ କିଲୋଗ୍ରାମ ମହୁଲି ଫୁଲ ଜବତ କରାଯାଇଛି। ନାର୍କୋଟିକ୍ସ ସାମଗ୍ରୀ ଭାବେ ୫୪ କିଲୋଗ୍ରାମ ଗଞ୍ଜେଇ ଓ ୮୦ ଗ୍ରାମ ବ୍ରାଉନ୍ ସୁଗାର ମଧ୍ୟ ଜବତ ହୋଇଛି।
ଏହା ସହିତ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଷ ସଂପର୍କିତ ୨ଟି ମାମଲା ରୁଜୁ କରାଯାଇ ୩.୦୩ କୋଟି ମୂଲ୍ୟର ଗଞ୍ଜେଇ ଗଛ ଧ୍ୱଂସ କରାଯାଇଛି।ସାରା ରାଜ୍ୟରେ ମିଳିତ ଚଢ଼ାଉ ଅଭିଯାନକୁ ଜୋରଦାର କରିବା ସହ ବେଆଇନ ମଦ ଉତ୍ପାଦନ ଏବଂ ନାର୍କୋଟିକ୍ସ ନେଟୱର୍କକୁ ମୁଳପୋଛ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଜାରି ରହିବ ବୋଲି ଚଢ଼ାଉ କାରି ଦଳ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା