ଜବଲପୁର ୨୪ ଫେବୃଆରୀ (ହି.ସ)- ମଧ୍ୟପ୍ରଦେଶର ଜବଲପୁରରେ ଆଜି ଭୋର ପ୍ରାୟ ସାଢେ 4ଟା ବେଳେ ହୋଇଥିବା ସଡକ ଦୁର୍ଘଟଣାରେ 6ଜଣ ମହାକୁମ୍ଭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣାଟକର ଏହି ତୀର୍ଥଯାତ୍ରୀ ପ୍ରୟାଗରାଜର ସଙ୍ଗମରେ ସ୍ନାନ କରି ଫେରୁଥିଲେ ।
ପୋଲିସ ଅନୁସାରେ ତୀର୍ଥଯାତ୍ରୀଙ୍କ ଗାଡିକୁ ଜବଲପୁର ଜିଲ୍ଲାର ସିହୋରାର ଖିତୌଲା ଥାନା ଅନ୍ତର୍ଗତ ପହରେଭାରେ ଏକ ବସ୍ ଧକ୍କା ଦେଇଥିଲା । ଭୟାବହ ଧକ୍କା ଯୋଗୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । କ୍ରେନ ସହାୟତାରେ ମୃତଦେହ ବାହାର କରାଯାଇଛି । ଦୁର୍ଘଟଣା ଘଟାଇବାର ବସ ଡ୍ରାଇଭରକୁ କଟନୀରୁ ଧରାଯାଇଛି । କୁହାଯାଉଛି ଯେ, ତୀର୍ଥଯାତ୍ରୀଙ୍କ ଗାଡି ହଠାତ୍ ଡିଭାଇଡରରେ ମାଡ ହେବା ପରେ ଉଡି ଅନ୍ୟପଟରେ ଥିବା ଫୋର ଲେନ ରାସ୍ତାକୁ ଚାଲିଯାଇଥିଲା ଏବଂ ପ୍ରୟାଗରାଜ ଯାଉଥିବା ବସ ସହ ଧକ୍କା ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା