କେନ୍ଦ୍ରାପଡା, ୨୫ ମଇ (ହି.ସ.)- ପ୍ରାଥମିକ ବିଦ୍ୟାଳୟ ଶିକ୍ଷକସଂଘ କେନ୍ଦ୍ରାପଡା ତରଫରୁ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ସଭା ସାନ୍ଧ୍ୟମହାବିଦ୍ୟାଳୟ ପରିସରରେ ଜିଲ୍ଲା ସଂପାଦକ ଅକ୍ଷୟ କୁମାର ପୋଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଓ ଶିକ୍ଷାକୁ ଘରୋଇକରଣ, ଶିକ୍ଷକମାରଣା ନୀତି ଯୋଗୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି । ସମଗ୍ର ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ହଜାର ହଜାର ପଦବୀ ଖାଲି ପଡିରହିଛି । ଅନେକ ଜିଲ୍ଲାରେ ସ୍କୁଲ୍ ଘର ଅଛି କିନ୍ତୁ ଶିକ୍ଷକ ନାହାଁନ୍ତି । ସରକାରଙ୍କ ନୂଆ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରିଛନ୍ତି । କିନ୍ତୁ ରାଜ୍ୟରେ ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି, ଶିକ୍ଷାୟନ ହୋଇପାରୁନାହିଁ । ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ଶିକ୍ଷାଦାନ ପାଇଁ ଶିକ୍ଷକ ନାହାଁନ୍ତି, ଗୃହ ନାହିଁ, ଘର ମୁରବୀଶୂନ୍ୟ । ୫୦ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇନାହିଁ । ଦୀର୍ଘ ୨୫/୩୦ ବର୍ଷ କାର୍ଯ୍ୟକାରୀ କଲାପରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତୀ ମିଳୁନାହିଁ । ଶିକ୍ଷକମାନଙ୍କର ଶିକ୍ଷା ନିର୍ଦ୍ଦେଶାଳୟ ପତ୍ର ନମ୍ବର-୫୭୫୪ ତା ୦୮.୦୩.୨୦୧୯ ରିଖ, ତା ୧୧.୦୨.୨୦୧୧ ପୂର୍ବରୁ ଓଟିଇଟି ନ ଦେବାପାଇଁ ନିର୍ଦ୍ଦେଶନାମା ଜାରି ସତ୍ୱେ ଶିକ୍ଷକମାନଙ୍କୁ ବାଧ୍ୟ କରାଯାଉଛି । ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଠିକା କାର୍ଯ୍ୟାଳୟକୁ ଗଣନା, ସ୍ୱାସ୍ଥ୍ୟବିମା ପ୍ରଦାନ, ପୁରୁଣା ପେନ୍ସନ୍ ମୁଖ୍ୟ ଦାବି ଥିବା ସତ୍ୱେ ଅଣଦେଖା କରାଯାଇ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଶିକ୍ଷାମନ୍ତ୍ରୀ ଓ ସଚିବମାନଙ୍କୁ ଶିକ୍ଷକମାନଙ୍କର ସମସ୍ୟା ପୂରଣ କରିବାକୁ ନିବେଦନ କରାଯାଇଛି । ନଚେତ୍ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଶିକ୍ଷକସଂଘ ସଭାରେ ସ୍ଥିର କରାଯାଇଛି ବୋଲି ଜିଲ୍ଲା ସଂପାଦକ ଅକ୍ଷୟ କୁମାର ପୋଥାଳ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ