କେନ୍ଦ୍ରାପଡ଼ା, ୨୫ ମଇ (ହି.ସ.)- ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡିକ ଆମ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକ ପାଳନ କରାଯାଏ । ଓଡିଶାରେ ପାଳନ କରାଯାଉଥିବା ପର୍ବ ଗୁଡିକ ମଧ୍ୟରୁ ଏକ କୃଷିଭିତ୍ତିକ ମହାନ୍ ପର୍ବ ଅଟେ ରଜ ଯାହା ଝିଅ, ବୋହୂମାନଙ୍କର ଏକ ପ୍ରଧାନ ପର୍ବ ଅଟେ । ପ୍ରତିବର୍ଷ ଭଳି ଚଳିତ ବର୍ଷ କିପରି ଶାନ୍ତିଶୃଙ୍ଖଳା ସହିତ ଏହି ରଜ ମହୋତ୍ସବକୁ ପାଳନ କରାଯିବ ଏଥିପାଇଁ କେନ୍ଦ୍ରାପଡାରେ “ମଦର ଟେରେସା” ଚାରିଟେବୁଲ ଟ୍ରଷ୍ଟ ଓ “ଶ୍ରୀରାମ ସେନା” ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରସ୍ତାବ ମୁତାବକ ଏହି ପର୍ବର ଶେଷ ଦିନରେ ତା୧୬ା୦୬ା୨୫ରିଖରେ କେନ୍ଦ୍ରାପଡା ଟାଉନ୍ ହଲ୍ରେ ଓଡିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ, ଅଭିନେତାମାନଙ୍କ ଦ୍ୱାରା ବିଭିନ୍ନ ଆମୋଦପ୍ରମୋଦ କାର୍ଯ୍ୟକ୍ରମ କରାଯିବ ଓ ଶେଷରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବାର ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ଏହି ବୈଠକଟି “ମଦର ଟେରେସା” ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ସୌମ୍ୟରଞ୍ଜନ ଧଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ବୈଠକରେ “ଶ୍ରୀରାମ ସେନା”ର ଅଧ୍ୟକ୍ଷ ସାରଦା ପ୍ରସାଦ ରାଉତ ଓ ଅନ୍ୟ ସହଯୋଗୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ