ସମ୍ବଲପୁର, ୨୫ ମେ (ହି.ସ.)
ସମ୍ବଲପୁରର ଜେଲଛକ ସ୍ଥିତ ଆହାର କେନ୍ଦ୍ର ପରିସରରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ 'ଗାଁ ଆମ୍ବ ପସରା ପର୍ବ' ଆୟୋଜିତ ହୋଇଯାଇଛି । ଆୟୋଜିତ ଆମ୍ବ ପସରାରେ ମୋଟ୍ ୮ ଟି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ୩୬ ଜଣ କୃଷକ ଭାଗ ନେଇଥିଲେ। ଏହି ଷ୍ଟଲ ଗୁଡିକରେ ଜମନକିରା, ନାକଟିଦେଉଳ, ଯୁଜୁମୁରା, ଧନକଉଡା, ରେଙ୍ଗାଲି, ରେଢାଖୋଲ, କୁଚିଣ୍ଡା ଓ ମାନେଶ୍ବର ଆଦି ଅଞ୍ଚଳରୁ ଆସିଥିବା ପ୍ରାୟ ୧୯ ପ୍ରକାରର ଆମ୍ଭ ତଥା ମିୟାଜାକି, ଆଲ୍ଫାଞ୍ଜୋ, ଲେଙ୍ଗେଡା, ନୀଳାଚଳ କେଶରୀ, ଦସେରା, ବାଦାମ କେଶରୀ, ମଲ୍ଲିକା ଆମପାଲି, ତୋଟାପୁରି, ମହମ୍ମଦବାହାର, ଗୁଲାବ ଖାସ, ମାଲପୁଆ, ସିନ୍ଧୁ, ପ୍ରଭାଶଙ୍କର, ସୁନ୍ଦରୀ, ହେମସାଗର, ଫଜଲି,ରତନା, ବାଇଗଣପଲ୍ଲୀ ଆଦି ଆମ୍ବ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଏହି ଆମ୍ବ ପସରା ଆସନ୍ତା ଜୁନ ମାସ ୨ ପର୍ଯ୍ୟନ୍ତ ଖୋଲାଯିବ । ପ୍ରତ୍ୟେକ ଦିନ ସକାଳ ୮ ଘଟିକାରୁ ସନ୍ଧ୍ଯା ୮ ଘଟିକା ପର୍ଯ୍ୟନ୍ତ ଖୋଲାରହିବା ।ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଉଦ୍ୟାନ ନିର୍ଦ୍ଦେଶାଳୟର ସାଧନ ଏବଂ ପ୍ରୋତ୍ସାହନରେ ସମ୍ବଲପୁର ଜିଲ୍ଲାର ଆମ୍ବ ରପ୍ତାନୀ ଏବେ ପ୍ରଥମ ଥର ପାଇଁ ସୁଦୂର ଦୁବାଇ ଓ ଇଂଲଣ୍ଡକୁ ଆରମ୍ଭ ହୋଇଛି । ଏହି ଉଦ୍ୟମ ଦେଶର ଆର୍ଥିକ ଉନ୍ନତି ଓ କୃଷକଙ୍କ ଆୟ ବୃଦ୍ଧି କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନୂତନ ପଦକ୍ଷେପ ଫଳରେ ଓଡ଼ିଶା ମାଟିର ଫଳ ବିଶ୍ୱରେ ପହଞ୍ଚିଛି ତାହା ନୁହେଁ, ବରଂ ଗ୍ରାମୀଣ ଅଞ୍ଚଳର କୃଷକ ଓ ଶ୍ରମିକଙ୍କ ନିଜର ଆର୍ଥିକ ଉନ୍ନତି ପାଇଁ ଏକ ନୂତନ ଆଶା ସଞ୍ଚାର କରାଇଛି। ଏହି ରପ୍ତାନି କାର୍ଯ୍ୟକ୍ରମ ଦ୍ୱାରା କୃଷକ ଓ ଉତ୍ପାଦକ ଦଳଙ୍କୁ ନୂତନ ଅବସର ଖୋଜିପାରିବେ। ସୂଚନା ଅନୁଯାୟୀ ଆଜି ୨୫ କ୍ଵିଣ୍ଟାଲର ଆମ୍ବ ଇଂଲଣ୍ଡ, ୧୦ କ୍ଵିଣ୍ଟାଲ ଆମ୍ବ ଦୁବାଇ ରପ୍ତାନୀ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ୍ ରାମଚନ୍ଦ୍ର ଜାଧବ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ପ୍ରମୁଖ ଏହି ରପ୍ତାନି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଉଦ୍ୟାନ ନିର୍ଦ୍ଦେଶାଳୟର ସାଧନ ଏବଂ ପ୍ରୋତ୍ସାହନରେ ଆମ୍ବ ପସରା କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶକୁ ଆମ୍ବ ରପ୍ତାନି କରିବା ଅତ୍ୟନ୍ତ ପ୍ରଶଂସନୀୟ କାମ ବୋଲି କହିଥିଲେ। ଆମ ଅଞ୍ଚଳରେ ଚାଷ ଗୋଟିଏ ପ୍ରାଥମିକ ବ୍ୟବସାୟ । ମୁଖ୍ୟତଃ ଧାନ ସହିତ ପନିପରିବା, ଆମ୍ବ ବିଶେଷ କରି ଜମନକିରା, ନାକଟିଦେଉଳ ଓ ଯୁଜୁମୁରା ଅଞ୍ଚଳରେ ପ୍ରଚୁର ପରିମାଣରେ ହେଉଛି । ଆଜି ଆପେଦା ସହ ଚୁକ୍ତିବଦ୍ଧ ହୋଇ ଏହି ସମସ୍ତ ଅଞ୍ଚଳର ଆମ୍ବ ଆଜି ଦେଶ ବାହାରକୁ ରପ୍ତାନି ହୋଇପାରିଛି । ଏହି ଅବସରରେ ଜିଲ୍ଲା କୃଷି ଅଧିକାରୀ, ମତ୍ସ୍ୟପାଳନ ଅଧିକାରୀ, ପଶୁ ପାଳନ ଅଧିକାରୀ, ଉଦ୍ୟାନ ବିଭାଗୀୟ ଅଧିକାରୀଙ୍କୁ ସେ ଏକ କମ୍ପରିହେନସିବ ୱାର୍କ ପ୍ଳାନ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ବାରା ଧାନ ଉତ୍ପାଦନ ସହ ଦୁଗ୍ଧ ଉତ୍ପାଦନ ଓ ଲଙ୍କା ଉତ୍ପାଦନର ବୃଦ୍ଧି କରାଇ ସମସ୍ତ ଗ୍ରାମାଞ୍ଚଳର ଅର୍ଥନୀତିକୁ ଆହୁରି ମଜବୁତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ