ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ଭୁବନେଶ୍ୱର, ୨୬ ମଇ (ହି.ସ.) - କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଭାବେ ମାଟ୍ରିକ ଟପରମାନେ ଉତ୍କର୍ଷ ହାସଲ କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ସୋମବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୫
ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ


ଭୁବନେଶ୍ୱର, ୨୬ ମଇ (ହି.ସ.) - କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଭାବେ ମାଟ୍ରିକ ଟପରମାନେ ଉତ୍କର୍ଷ ହାସଲ କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ସୋମବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୫ ମସିହା ବୋର୍ଡ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବି.ଏସ୍‌.ଇ.), ସେଂଟ୍ରାଲ୍ ବୋର୍ଡ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସି.ବି.ଏସ୍‌.ଇ.) ଏବଂ କାଉନସିଲ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ (ଆଇ.ସି.ଏସ୍‌.ଇ.) ଦ୍ୱାରା ଅନୁଷ୍ଠିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ରାଜ୍ୟରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ଏହି ଅବସରରେ ଟପରମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏତଦବ୍ୟତୀତ ପିତା ମାତାଙ୍କର ନିରନ୍ତର ସମର୍ଥନ, ତ୍ୟାଗ ଓ ସ୍ନେହ ପାଇଁ ତଥା ଶିକ୍ଷକମାନଙ୍କର ମାର୍ଗଦର୍ଶନ ଏବଂ ପରାମର୍ଶ ପାଇଁ କୃତୀ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷକ ସାଜିଥିବାରୁ ସେମାନଙ୍କୁ ମଧ୍ୟ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, କୃତୀ ଟପରମାନେ ଶୃଙ୍ଖଳା, ପ୍ରତିବଦ୍ଧତା ଏବଂ ନିଷ୍ଠା ଦ୍ୱାରା କିପରି ସଫଳତା ହାସଲ କରାଯାଏ ତାହା ଦେଖାଇଛନ୍ତି । ଟପରମାନଙ୍କୁ ଉଜ୍ଜ୍ୱଳ ତାରକା ଭାବେ ଅଭିହିତ କରି ରାଜ୍ୟପାଳ କହିଥିଲେ ଯେ ସେମାନଙ୍କ ସଫଳତା କେବଳ ବ୍ୟକ୍ତିଗତ ଉତ୍କର୍ଷତା ଓ ସ୍ଥିରତା ନୁହେଁ, ବରଂ ପିତାମାତା ଓ ଶିକ୍ଷକମାନଙ୍କ ଅଟଳ ପ୍ରୟାସକୁ ପ୍ରତିଫଳିତ କରେ । ଜ୍ଞାନର କରିଡର ଦେଇ ଆପଣଙ୍କ ସଫଳ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ । ଚରିତ୍ର ଏବଂ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନଙ୍କର ଶୈକ୍ଷିକ ସଫଳତା ସମାଜର ନୀତିବାନ ଓ ପ୍ରଭାବଶାଳୀ ସଦସ୍ୟ ହେବା ପାଇଁ ମୂଳଦୁଆ ହେବା ଉଚିତ୍ । ମାଟ୍ରିକ ସଫଳତା ଜୀବନର କେବଳ ଆରମ୍ଭ ସୋପାନ । ଜୀବନରେ ଆଗକୁ ଅନେକ ମାଇଲଖୁଣ୍ଟ ରହିଛି । ଶିଖିବା ପାଇଁ ନମ୍ରତା, ଅନୁସନ୍ଧାନ କରିବାର ସାହସ ଏବଂ ଅନ୍ୟମାନଙ୍କୁ ଆଗକୁ ନେବାର ମାନସିକତା ରଖିବାକୁ ସେ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରବର୍ତ୍ତିତ ହୋଇଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ଭାଗ୍ୟବାନ ବୋଲି କହିବା ସହ ଏହା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଏବଂ ଆଧୁନିକ ବିଶ୍ୱରେ ବଢୁଥିବା ଆହ୍ୱାନଗୁଡିକୁ ମୁକାବିଲା କରିବାରେ ସଶକ୍ତ କରିବ ବୋଲି ରାଜ୍ୟପାଳ କହିଥିଲେ । ଏହି ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶାର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଯୋଗଦେଇ ଟପର ଏବଂ ତାଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରି କୃତୀ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ଯେ ବି.ଏସ୍‌. ଇ., ସି.ବି.ଏସ୍‌.ଇ. ଓ ଆଇ.ସି.ଏସ୍‌.ଇ.ର ମୋଟ ୨୫ ଜଣ ଟପରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande