ବଲାଙ୍ଗିର, 26 ମେ (ହି.ସ.)
ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ରବିବାର ସନ୍ଧ୍ୟାରେ ଗବେଷକ ନିଗମାନନ୍ଦ ଷଡ଼ଙ୍ଗୀଙ୍କ ରଚିତ ‘ଉଜାଣି ଝଞ୍ଜାବତୀ' ପୁସ୍ତକ ଲୋକାର୍ପିତ ହୋଇଛି। ଅବସରପ୍ରାପ୍ତ ପ୍ରଶାସକ ନୀଳମଣି ମିଶ୍ର, ମୁଖ୍ୟବକ୍ତା ଭାବେ କବି ସରୋଜ, ଲେଖକ ନିଗମାନନ୍ଦ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ରବିଶଙ୍କର ପ୍ରଧାନ ସଂଯୋଜନା କରିଥିଲେ। ଭୁବନେଶ୍ୱର ସ୍ଥିତ ମାନବ ବିଜ୍ଞାନ କେନ୍ଦ୍ର ଓ ସମ୍ବଲପୁରର ଅନ୍ୱେଷା ପ୍ରକାଶନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ କୋରାପୁଟ ଜିଲାର ବନ୍ଧୁଗାଁ-ନାରାୟଣପାଟଣା ଅଞ୍ଚଳର ମଦମୁକ୍ତି, ଜମି ମୁକ୍ତି ଓ ଗୋତି ମୁକ୍ତି ଆନ୍ଦୋଳନର ପୃଷ୍ଠଭୂମି ରହିଛି। ସେଠାକାର ବିଭିନ୍ନ ବର୍ଗର ଅଧିବାସୀଙ୍କ ଜୀବନ ଓ ସଂଘର୍ଷକୁ ଲୋକଙ୍କ ଭାଷାରେ ଲେଖକ ବହୁ ପରିଶ୍ରମ କରି ଲେଖିଥିବାରୁ ଏହା ପାଠକ ଓ ଗବେଣଷାରତ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ହେବ ବୋଲି ମୁଖ୍ୟବକ୍ତା ସରୋଜ କହିଥିଲେ। ଲେଖକ ନିଗମାନନ୍ଦ ପୁସ୍ତକ ରଚନା ସମ୍ପର୍କରେ ତାଙ୍କର ଅନୁଭୂତି କହିଥିଲେ। ସଭାପତୀୟ ଅଭିଭାଷଣରେ ମିଶ୍ର ନାରାୟଣପାଟଣାରେ ୪୫ ବର୍ଷ ତଳେ ବିଡିଓ ଭାବେ କାର୍ଯ୍ୟ କଲାବେଳର ଅନୁଭୂତି ବର୍ଣ୍ଣନା କରିଥିଲେ। ସଭାରେ ଅତିଥି ମାନଙ୍କୁ ‘ରଚନା’ ସଭାପତି ସନାତନ ଠାକୁର, କବି ଭାଗିରଥି ମିଶ୍ର, ବରିଷ୍ଠ ଓକିଲ ଭବାନୀ ଶଙ୍କର ଶତପଥି ଓ ଚାଷୀନେତା ଅରୁଣ ମିଶ୍ର ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ଅରୁଣ ନାଏକ, କେଶବ ମିଶ୍ର, ମୀନକେତନ ମାଝି ଓ ଚନ୍ଦନ ନାଗ ମତାମତ ରଖିଥିଲେ। ସଭାରେ ବଲାଙ୍ଗୀର ଜିଲା ଘୁମେର ଜମି ଦୁର୍ନୀତି ସମ୍ପର୍କରେ ଚାଷୀନେତା ଅରୁଣ ମିଶ୍ର ମତାମତ ଉପସ୍ଥାପନ କରିଥିଲେ। ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରେନ୍ଦ୍ର ଝାଙ୍କର ସ୍ୱାଗତ ବକ୍ତବ୍ୟ ଦେଇଥିଲେ। ସଭାରେ ବହୁ ଲେଖକ, କବି, ସାହିତ୍ୟିକ ଓ ଶ୍ରୋତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ