ମାଲକାନଗିରି, ୨୬ ମଇ (ହି.ସ.)- ବୃଦ୍ଧବୃଦ୍ଧା ମାନେ ଭତ୍ତାରୁ ବଞ୍ଚିତ । ବୟସର ସୀମା ଟପିଲାଣି ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ହେଲେନି ନୟାନ୍ତ । ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ମିଳୁନି ସୁଫଳ । ଭତ୍ତା ପାଇବାର ଆଶା ଆଶାରେ ହିଁ ରହିଯାଇଛି । କେତେ ଦିନ ଆଉ ଅପେକ୍ଷା କରିବାକୁ ପଡିବ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ । ଖଇରପୁଟ ଅଞ୍ଚଳର ଅଧିକାଂଶ ବୃଦ୍ଧା ବୃଦ୍ଧର ବୟସ ୭୦/୮୦ରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ଆଜି ଯାଏଁ ସେମାନଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ସେହିପରି ବିଧଵା ହୋଇ ୧୫/୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ବିଧବା ଭତ୍ତାରୁ ବଞ୍ଚିତ ରହୁଛନ୍ତି । ଖଇରପୁଟ ବ୍ଲକର ଅଧିକାଂଶ ପଞ୍ଚାୟତ ଦୁର୍ଗମ ଅଞ୍ଚଳ । ରାସ୍ତା ଘାଟର ଅଭାବ ରହିଛି । ସେହି ଅଞ୍ଚଳର ବୃଦ୍ଧବୃଦ୍ଧା ଓ ବିଧବା ମାନେ କେତେ କଷ୍ଟରେ ବ୍ଲକ କାର୍ଯ୍ୟାଳକୁ ଆସୁଛନ୍ତି । କିନ୍ତୁ, ପ୍ରଶାସନର ଦୃଷ୍ଟି ପଡୁନି । ଭତ୍ତା ପାଇବା ଆଶାରେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି ହେଲେ ମିଳୁନି ସୁଫଳ । ଜିଲ୍ଲାପାଳଙ୍କ ଜନଶୁଣାଣୀରେ କେତେ ଥର ଲିଖିତ ଆକାରରେ ଦେଇ ଆସୁଛନ୍ତି ଅଭିଯୋଗ ତଥାପି ହେଉନି ସେମାନଙ୍କର ଭତ୍ତା । ପରିଣତ ବୟସ, ମଶାଣି ଯିବାର ରାସ୍ତା ଖୋଜୁଛି । ଶେଷ ସମୟରେ ମଧ୍ୟ ସରକାରଙ୍କ ପଇସା ଖାଇ ମରିବୁ ବାବୁ ବୋଲି ଛଳଛଳ ଆଖିରେ କ୍ଷୋଭ ପ୍ରକାଶ କରିଛନ୍ତି । କିନ୍ତୁ, ସେମାନଙ୍କ ଆଶା ପୂରଣ ହେବାକୁ ଦେଉନାହାନ୍ତି ଅଧିକାରୀ ବାବୁମାନେ । ପରିଣତ ବୟସରେ ଆଉ କେତେ ଦୌଡ଼ିବୁ ବାବୁ ବଳ ବୟସ ସରି ଆସିଲାଣି । ଭତ୍ତା ପାଇବାର ଆଶା ଧିରେ ଧିରେ ମଉଳି ଗଲାଣି ।
ବର୍ତ୍ତମାନର ସରକାର ଲୋକଙ୍କ ସରକାର । ଅଳ୍ପ ଦିନ ଭିତରେ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତି କଲେଣି । ସରକାରଙ୍କ ଯୋଜନା ଲୋକଙ୍କ ପାଖକୁ କିପରି ପହଞ୍ଚିବ ଏବଂ ଲୋକେ ସରକାରଙ୍କ ଯୋଜନାରୁ ଯେପରି ବଞ୍ଚିତ ନହେବେ ତା ଉପରେ ଗୁରୁତ୍ୱ ଦେଉଛନ୍ତି । ବିଗତ ବିଜେଡି ସରକାର ବୃଦ୍ଧା ବୃଦ୍ଧଙ୍କୁ ପାଞ୍ଚ ଶହ ଟଙ୍କା ଦେଉଥିଲେ । କିନ୍ତୁ ମୋହନ ସରକାର ପାଞ୍ଚ ଶହ ଟଙ୍କାରୁ ବଢେଇ ହଜାର ଟଙ୍କା କଲେ । ତାସହିତ ୮୦ ବର୍ଷର ବୃଦ୍ଧବୃଦ୍ଧାଙ୍କୁ ୩ ହଜାର ଟଙ୍କା ବୃଦ୍ଧି କଲେ । ବୃଦ୍ଧବୃଦ୍ଧାଙ୍କ ପାଇଁ ଏତେ ଗୁରୁତ୍ୱ ଦେଉଥିବା ବେଳେ କେତେକ ଅସାଧୁ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ନିରୀହ ଗରିବ ଲୋକେ । ଅଧିକାରୀ ବାବୁମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ଏବଂ କାର୍ଯ୍ୟରେ ଅବହେଳା କରୁଥିବା ହେତୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାବୁମାନଙ୍କ ଅବହେଳାର କାର୍ଯ୍ୟ ଯୋଗୁ ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ ।
ଖଇରପୁଟ ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ବିଡ଼ିଓ ଛୁଟିରେ ଥିବା ଯାଗୁଁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନି । ସରକାର ଏହାକୁ ଗୁରୁତ୍ୱର ସହ ନେଇ ବଞ୍ଚିତ ରହିଥିବା ବୃଦ୍ଧବୃଦ୍ଧାଙ୍କୁ ଭତ୍ତା କିପରି ମିଳିବ ତାର ବ୍ୟବସ୍ଥା କରାଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସରକାର ଏଥିପ୍ରତି କେତେ ଗୁରୁତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ