ପୁରୀ, ୨୬ ମଇ (ହି.ସ.)- ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜାଧିଭିଷେକ ଠାରୁ ନିଳାଦ୍ରୀ ବିଜେ ପର ରଥଯାତ୍ରାର ନୀତିନିର୍ଘଣ୍ଟ, ବ୍ଯବସ୍ଥାବଳୀ, ନୀତିକାନ୍ତି, ପହଣ୍ଡି, ରଥଟଣା ଓ ଦର୍ଶନ ବ୍ଯବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକ ପରେ ଗଜପତି ମହାରାଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ପରିଚାଳନା କମିଟି ଗଠନ କରିନଥିବାରୁ ପୂର୍ବତନ ପରିଚାଳନା କମିଟି ଓ ମୁଖ୍ଯ ପ୍ରଶାସକଙ୍କ ଅନୁମୋଦନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡପ ପହଣ୍ଡି, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ କିପରି ଶୃଙ୍ଖଳିତ ହେବ ଏ ସଂପର୍କରେ ସଭ୍ଯମାନେ ଆଲୋଚନା କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ଉଦ୍ୟମରେ ମେଦିନୀପୁର ଦୀଘା ଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଜଗନ୍ନାଥ ଧାମ ଶବ୍ଦକୁ ବ୍ଯବହାର ନକରିବା ପାଇଁ ଗଜପତି ରାଜ୍ଯ ସରକାରଙ୍କୁ ଅନୁରୋଧ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ସାରା ବିଶ୍ବରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ କାହାକୁ ବାରଣ ନାହିଁ । ମୂଳପୀଠ ଶ୍ରୀମନ୍ଦିର ପରମ୍ପରା ଅନୁଯାଇ ସମସ୍ତ ପ୍ରଚଳିତ ନୀତି ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ନୀଳାଚଳ ଧାମ, ପୁରୁଷୋତ୍ତମ ଧାମ ଏପରି ଶଦ୍ଦ ଗୁଡିକ ଆଗାମୀ ଦିନରେ ଯେପରି କେହି ବ୍ୟବହାର କରି ନପାରିବେ ସେ ସମ୍ପର୍କରେ ବିଚାରବିମର୍ଷ ଚାଲିଛି । ଆନ୍ତର୍ଜାତୀକ ଧାର୍ମିକ ଅନୁଷ୍ଠାନ ଇସ୍କନ ଦୀଘା ମନ୍ଦିରରେ ସେବାପୂଜା ଦାୟୀତ୍ବ ନେଇଥିବାରୁ ସେ କିପରି ଜଗନ୍ନାଥ ଧାମ ଶଦ୍ଦକୁ ବ୍ଯବହାର ନକରିବା ପାଇଁ କାହିଁକି ପରାମର୍ଶ ଦେଲେନାହିଁ ବୋଲି ଗଜପତି ପ୍ରଶ୍ନ କରିଛନ୍ତି । ଭାରତ ଭିତରେ ଇସ୍କନ ସଂସ୍ଥା ଆଷାଢ ଶୁକ୍ଲ ଦ୍ବିତୀୟା ଦିନ ରଥଯାତ୍ରା କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ, ଭାରତ ବାହାରେ ରଥଯାତ୍ରା ଗୋଟିଏ ଦିନ କରିବା ପାଇଁ ଇସ୍କନ ସହ କଥାବାର୍ତ୍ତ ଚାଲିଛି । ଶ୍ରୀମନ୍ଦିରରେ ଶାସ୍ତ୍ରୀୟ ପରମ୍ପରା ଅନୁସାରେ ନୀତିକାନ୍ତି ଚାଲିଛି । ଏ ନୀତି ବିଶ୍ବର ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ପାଇଁ ଗଜପତି ପରାମର୍ଶ ଦେଇଥିଲେ । ଇସ୍କନ ସଂସ୍ଥା ଦୀଘାର ଜଗନ୍ନାଥ ଧାମ ଟ୍ରଷ୍ଟ, ଶ୍ରୀମନ୍ଦିର ପ୍ରଶାସନ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଭକ୍ତିର ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ଯାର ସମାଧାନ କରିବା ପାଇଁ ଗଜପତି ପରାମର୍ଶ ଦେଇଥିଲେ । ଶ୍ରୀକ୍ଷେତ୍ରର ରଥଯାତ୍ରାରେ ସ୍ବଂୟ ଜଗନ୍ନାଥ ରତ୍ନସିଂହାସନ ଛାଡି ଜଗତକୁ ଦର୍ଶନ ଦେବା ପାଇଁ ରଥାରୁଢ ହୁଅନ୍ତି । ଏହି ଅବସରରେ ସମଗ୍ର ବ୍ରହ୍ମାଣ୍ଡକୁ ଦର୍ଶନ କରିବା ପାଇଁ ଭକ୍ତି ଭାବର ସହ ଅଲିଖିତ ଆମନ୍ତ୍ରଣ କରାଯାଇଥାଏ ବୋଲି ଗଜପତି ମହାରାଜା କହିଥିଲେ ।
ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ, ରଥଯାତ୍ରା ପାଇଁ ଏହା ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ । ଛତିଶା ନିଯୋଗରେ ରଥଯାତ୍ରା ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଅନୁଷ୍ଠିତ ପହଣ୍ଡି ଗୁଡିକ କିଭଳି ଶୃଙ୍ଖଳିତ କରାଯିବ ଓ ଚାରମାଳକୁ ସଠିକ ଗଡାଣିଆ କରାଯିବ ଏଥିପାଇଁ ଅଧିକ ଚାରମାଳ କରାଯିବ । ଗତ ରଥଯାତ୍ରା ଆଡପ ପହଣ୍ଡି ସମୟରେ ବଳଭଦ୍ରଙ୍କ ପହଣ୍ଡି ଅଘଟଣକୁ ଦୃଷ୍ଟିରେ ରଖି ଏଥର ତାହାକୁ ଶୃଙ୍ଖଳିତ କରାଯିବ । ଶ୍ରୀମନ୍ଦିର ଶବ୍ଦାବଳୀ ଓ ଲୋଗୋ ଗୁଡିକ ପେଣ୍ଟେଟ କରାଯିବ । ଯେପରି ଏହି ଶଦ୍ଦ ଗୁଡିକ ଅନ୍ଯ କେହି ବ୍ଯବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାରିପଟେ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକା ଗୁଡିକ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଅନୁଯାଇ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ସଂପର୍କରେ ନଗର ଉନ୍ନୟନ ବିଭାଗକୁ ଜଣାଇ ଦିଆଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ମହାପ୍ରଭୁଙ୍କ ଭୂସମ୍ପତିର ସୁରକ୍ଷା, ପରିଚଳନା ଓ ମାର୍ଗଦର୍ଶିକା ବ୍ଯବସ୍ଥା କରାଯିବ । ଶ୍ରୀମନ୍ଦିରର କର୍ପସ ପାଣ୍ଠି ବୃଦ୍ଧି କରାଯିବ । ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି, ଶ୍ରୀମନ୍ଦିର ଉନ୍ନତିକରଣ ଓ ସେବାୟତ କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ରଥ ଉପରେ ମୋବାଇଲ ଫୋନ ବ୍ୟବହାର କଲେ ଫୌଜଦାରୀ ମକଦ୍ଦମା କରାଯିବ । ଅଣ ସେବାୟତ ଯେପରି ରଥ ଉପରକୁ ନ ଚଢନ୍ତି ସେଥିପ୍ରତି କଡା ଦୃଷ୍ଟି ଦିଆଯିବ । ପହଣ୍ଡି ପାଇଁ ସ୍ବତନ୍ତ୍ର ଏସଓପି ବ୍ଯବସ୍ଥା କରାଯିବ ।
ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲା, ପୂର୍ବତନ ପରିଚାଳନା କମିଟିର ସଦସ୍ଯ, ଶ୍ରୀମନ୍ଦିର ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ସମେତ ଆମନ୍ତ୍ରିତ ସଭ୍ଯମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ