ଧର୍ମଶାଳା, ୨୬ ମଇ (ହି.ସ.)- ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଂଚଳରେ ୨ ଦିନ ହେବ ବର୍ଷା ଲାଗି ରହିଛି । ଫଳରେ ଖରାଦିନିଆ ପନିପରିବା ଚାଷ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଅନେକ ଖାଲୁଆ ରାସ୍ତାରେ ପାଣି ଜମିରହିବା ଫଳରେ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ବର୍ଷା ଲାଗିରହିବାରୁ ମୁଲିଆ ଶ୍ରେଣୀର ଲୋକମାନେ କାମଧନ୍ଦାକୁ ଯାଇ ନପାରି ଘରେ ଭୋକ ଉପାଷରେ ରହୁଛନ୍ତି । ତେବେ ରାଜ୍ୟରେ ଏଭଳି ବର୍ଷା ଆଗାମୀ ୭ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଗକୁ ଏଭଳି ବର୍ଷା ଲାଗିରହିଲେ ଖାରଦିନିଆ ପନିପରିବା ଚାଷ କରିଥିବା ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଇଛି । ଆସନ୍ତା ୨୭ ତାରିଖରେ ଏକ ଲଘୁଚାପ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ବେଳେ ଏହାକୁ ନେଇ ଚାଷୀକୂଳ ମଧ୍ୟରେ ଛନକା ପସିଯାଇଛି । ଚଳିତ ବର୍ଷ ସପ୍ତାହେ ପୂର୍ବରୁ ମୌସୁମୀ ଆସିବା ନେଇ ଆକଳନ କରାଯାଇଥିବା ନେଇ ଚାଷୀ ମଧ୍ୟରେ ଖୁଶିର ବାତାବରଣ ଦେଖାଇଛି । ହେଲେ ଏବେ ଅଦିନିଆ ବର୍ଷା ଲାଗିରହିବାରୁ ବିଶେଷ କରି ପନିପରିବା ଚାଷୀମାନେ କ୍ଷତିଗ୍ରସ୍ତ ହେବା ନେଇ ଅଶଙ୍କା ପ୍ରକାଶ ପାଇଛି । ଗତକାଲି ଧର୍ମଶାଳା ବ୍ଲକରେ ଜିଲ୍ଲା ଅପେକ୍ଷା କମ ବର୍ଷା ହୋଇଥିବା ବେଳେ ଆଜି ପାଖାପାଖି ୨୦ ସି.ଏମ.ରୁ ଅଧିକ ବର୍ଷା ହୋଇଥିବା ଜଣାଯାଇଛି । ମଇ ମାସରେ ଟାଣ ଖରାରରେ ଲୋକେ ଆଉଟି ପାଉଟି ହେଉଥିବା ବେଳେ ଏବେ ଆକାଶ ମେଘାଛନ୍ନ ରହିବା ସହିତ ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଲୋକେ ଆସ୍ୱସ୍ତି ଅନୁଭବ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ