ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ସାବିତ୍ରୀ ବ୍ରତ ପାଳିତ
ପୁରୀ, ୨୬ ମଇ (ହି.ସ.)- ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ସୋମବାର ତିଥିରେ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ନିଷ୍ଠା ଓ ଭକ୍ତିର ସହ ସଧବା ନାରୀମାନେ ଓ ନୂଆ ବିବାହିତା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଭିତରେ ଥିବା ଭୁବନେଶ୍ଵରୀ
ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ସାବିତ୍ରୀ ବ୍ରତ ପାଳିତ


ପୁରୀ, ୨୬ ମଇ (ହି.ସ.)- ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ସୋମବାର ତିଥିରେ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ନିଷ୍ଠା ଓ ଭକ୍ତିର ସହ ସଧବା ନାରୀମାନେ ଓ ନୂଆ ବିବାହିତା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଭିତରେ ଥିବା ଭୁବନେଶ୍ଵରୀ ମନ୍ଦିରରେ ଦେବୀ ମା ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଲମ୍ବା ଧାଡ଼ି ଲାଗି ରହିଥ‌ିବା ଦେଖାଯାଇଥିଲା । ସେବକ ପତି ମହାପାତ୍ର ସାବିତ୍ରୀଙ୍କ ମନ୍ଦିରରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ପ୍ରାତଃରୁ ସ୍ନାନକରି ସଧବା ମହିଳା ଓ ନୂଆ ବିବାହିତା ମହିଳାମାନେ ଥାଳିରେ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ଓ ବିଭିନ୍ନ ଫୁଲ,ଫଳ, ନଡ଼ିଆ, ଗୁଆ ସହ ବ୍ରତ ଧରି ଲାଗି କରିବା ପାଇଁ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ସାହି ଗଳି କନ୍ଦିରେ ଥ‌ିବା ନିକଟସ୍ଥ ମହାଦେବଙ୍କ ମନ୍ଦିର ସମେତ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ଲାଗି ରହିଥିଲା । ପବିତ୍ରତା ନିଷ୍ଠା, ଭକ୍ତିର ସହ ଉପବାସ ରହି ନୂଆ ଶାଢୀ ପିନ୍ଧି,ଗୋଡ଼ରେ ଅଳତା ମଥାରେ ସିନ୍ଦୁର, ହାତରେ ନାଲି ଶଙ୍ଖା ପିନ୍ଧିଥିଲେ । ବଟବୃକ୍ଷ ମୂଳରେ ଜଳ ଦେବା ପରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା ସହ ଶୁଭମନାସୀ ସ୍ବାମୀଙ୍କ ପାଦପଦ୍ମ ତଳେ ଭୂମିଷ୍ଠ ପ୍ରଣାମ କରି ନିଜର ସୌଭାଗ୍ୟ ଅର୍ଜନ କରିଥିଲେ । ପୂଜାର୍ଚ୍ଚନା ପରେ ଗଜା ମୁଗ, ନଡ଼ିଆ, ସେଓ, ଅଙ୍ଗୁର, କମଳା, କଦଳୀ, ଲିଚୁ, ଖଜୁରି, ଗୋଟା ତାଳ, ପଣସ ଓ ସପୁରୀ ଆଦି ଭୋଗ ସେବନ କରିଥିଲେ । ବିଭିନ୍ନ ସାହି ଗଳି କନ୍ଦିରେ ମହିଳା ମାନେ ମଧ୍ୟ ଘରେ ଘରେ ଏକତ୍ରୀତ ହୋଇ ଶିଳ ଓ ଶିଳୁପୁଆକୁ ହଳଦୀ, ଚନ୍ଦନ, ସିନ୍ଦୁର ସହ ଫୁଲ ଲଗାଇ ହୁଳହୁଳି ପକାଇ ସାବିତ୍ରୀ ବ୍ରତ ବହି ପାଠ କରି ପୂଜାର୍ଚ୍ଚନା କରିଥିଲେ । ପୁରୀ ଜିଲ୍ଲା ସମେତ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ସାବିତ୍ରୀ ବ୍ରତ ପାଳନକରିଥିବା ଦେଖାଯାଇଥିଲା । ଦିନଯାକ ଉପବାସ ରହି ପଣା ପିଇବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିଥିଲେ । ପୌରାଣିକ କଥା ମତ ଅନୁସାରେ ପୃଥିବୀ ପୃଷ୍ଠରେ ବଟ ବୃକ୍ଷକୁ ଜୀବନର ପ୍ରତୀକ ବୋଲି କହୁଯାଏ । ବଟ ସାବିତ୍ରୀ ବ୍ରତ କଥାରେ ସାବିତ୍ରୀ ତାଙ୍କର ପତି ସତ୍ୟବାନଙ୍କୁ ନିଜର ସତୀତ୍ବର ଶକ୍ତି ଦ୍ଵାରା ଯମଙ୍କ ଠାରୁ ଫେରାଇ ଆଣିଥିଲେ । ଏହି ବ୍ରତରେ ବୃକ୍ଷର ଚାରିପଟେ ନାଲି ସୂତା ବାନ୍ଧି ମହିଳା ମାନେ ସେମାନଙ୍କ ପତିର ଦୀର୍ଘାୟୁ କମାନା କରିବା ସହିତ ଅଖଣ୍ଡ ସୌଭାଗ୍ୟ ପାଇଁ ଏହି ବ୍ରତକୁ ବିଧ‌ିବିଧାନ ସହିତ କରିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande