ଧର୍ମଶାଳା, ୨୬ ମଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ପୁଲିସ ଗ୍ରାମବାସୀଙ୍କ ସହାୟତାରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଧର୍ମଶାଳା ତହସିଲ୍ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ଚାନ୍ଦମୋହିନୀ ନିକଟ ଏକ ବାଲିଘାଟରୁ ବେଆଇନ୍ ଭାବେ ହଜାର ହଜାର ଟ୍ରିପ୍ ବାଲି ଚୋରି ହୋଇ ନିକଟସ୍ଥ ଉତରପ୍ରତାପ ଗାଁ ଦେଇ ଯାଉଥିବା ବେଳେ ଗତକାଲି ରାତିରେ ଗ୍ରାମବାସୀମାନେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଉକ୍ତ ଗାଡ଼ିଟିକୁ ଜବତ କରିବା ସହ ୩୧୧/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି ବୋଲି ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀ ର ମୁଣ୍ଡମାଳ, ଦେଓଦା, ଚାନ୍ଦମୋହିନୀ ଭଳି ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ବେଆଇନ୍ ଭାବେ ଶହ ଶହ ଟ୍ରିପ୍ ସରାକରୀ ଉତ୍ସ ଲୁଟ ହେଉଛି । ଫଳରେ ବଡବଡିଆମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ସେମାନଙ୍କ ବିରୋଧରେ ପୋଲିସ ଓ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଆଗକୁ ଜଣାପଡିବ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ