ଚମ୍ପୁଆ, , 27 ମେ (ହି.ସ.) ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ନିୟୁଣ୍ଡି ଗ୍ରାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ନୂତନ ରଥ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଦୀର୍ଘ ଷାଠିଏ ବର୍ଷ ଧରି ନିୟୁଣ୍ଡି ଗ୍ରାମରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ତେବେ ପୁରୁଣା ରଥ ଟିର କାଠ ଗୁଡ଼ିକ ନଷ୍ଟ ହୋଇଯିବା ଯୋଗୁଁ ରଥଟି ଜରାଜୀର୍ଣ୍ଣ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିବାରୁ ମହାପ୍ରଭୁଙ୍କ ପାଇଁ ଏକ ନୂତନ ରଥ ନିର୍ମାଣର ଆବଶ୍ୟକ ହୋଇ ପଡ଼ିଥିଲା । ନୀୟୁଣ୍ଡି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡ, ରାଧାମାଧବ ଯୁବକ ସଂଘର ମିଳିତ ଉଦ୍ୟମ ଏବଂ ଷଡ଼ଙ୍ଗୀ ପଞ୍ଚାୟତର ଆଙ୍କୁଡ଼ି, ଖୁଣ୍ଟାପଡା, ଷଡ଼ଙ୍ଗୀ ଆଦି ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ନୂତନ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଛି। ଏହି ରଥର ନିର୍ମାଣ କାର୍ଯ୍ୟ ମଲ୍ଲିପଶି ଗ୍ରାମର ମୁଖ୍ୟ ରଥ ମହାରଣା ସୁଦର୍ଶନ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଗାର ଜଣ କାରିଗରଙ୍କ ଦ୍ୱାରା ରୀତି ନିତି ଅନୁସାରେ ନୂତନ ରଥର ନିର୍ମାଣ ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ହୋଇ ଛବିଶ ତାରିଖରେ ଶେଷ ହୋଇଛି। ଦୀର୍ଘ ଦିନର ପ୍ରୟାସ ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣାରୁ ଚଳିତ ବର୍ଷ ନୂତନ ରଥ ନିର୍ମାଣ ହୋଇ ପାରିଛି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta