ନୂଆଦିଲ୍ଲୀ, ୨୭ ମଇ (ହି.ସ.)- ପାରାଗ୍ୱେର ରାଷ୍ଟ୍ରପତି ସାଂଟିଆଗୋ ପେନା ପାଲାସିଓସ ଜୁନ୍ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିବେ । ଏହା ତାଙ୍କର ପ୍ରଥମ ଥର ଭାରତ ଗସ୍ତ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବାବଦରେ ସମୀକ୍ଷା କରିବେ । ରାଷ୍ଟ୍ରପତି ସାଂଟିଆଗୋ ପେନା ମୁମ୍ବାଇ ମଧ୍ୟ ଯିବେ । ସେଠାରେ ନେତା ଓ ଉଦ୍ୟୋଗପତି ମାନଙ୍କୁ ଭେଟିବେ । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ଅବସର ମିଳିବ । ଏହା ପାରାଗ୍ୱେର କୌଣସି ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଥର ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପେନାଙ୍କ ସମ୍ମାନରେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିବେ । ଏହା ବ୍ୟତୀତ ସାଂଟିଆଗୋ ପେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ । ସେ ତାଙ୍କ ସମ୍ମାନରେ ଏକ ଭବ୍ୟ ଭୋଜିର ଆୟୋଜନ କରିବେ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବୈଦେଶିକ ମନ୍ତ୍ରୀ ଡଃ. ଏସ. ଜୟଶଙ୍କର ମଧ୍ୟ ରାଷ୍ଟ୍ରପତି ପେନାଙ୍କୁ ଭେଟିବେ । ମୁମ୍ବାଇରେ ରାଷ୍ଟ୍ରପତି ପେନା ରାଜ୍ୟର ରାଜନୈତିକ ନେତୃତ୍ୱ, ଉଦ୍ୟୋଗ ପ୍ରତିନିଧି, ଷ୍ଟାର୍ଟଅପ୍ ଏବଂ ଜ୍ଞାନକୌଶଳ କ୍ଷେତ୍ରର ନେତାମାନଙ୍କୁ ଭେଟିବେ । ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସହଯୋଗକୁ ବୃଦ୍ଧି କରିବାର ଏକ ମହତ୍ୱପୂର୍ଣ୍ଣ ଅବସର ପ୍ରଦାନ କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ