ରାଉରକେଲା, ୨୭ ମଇ (ହି.ସ.)- ପ୍ରେସ କାଉନସିଲ ଅଫ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଏକ ବୈଧାନିକ ଅଙ୍ଗ। ଯାହାକି ପ୍ରେସ କାଉନସିଲ ଆକ୍ଟ ୧୯୭୮ ଅନୁଯାୟୀ ଗଠିତ। ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରେସ ର ସ୍ଵାଧୀନତାକୁ ସୁରକ୍ଷିତ ରଖିବା ଏବଂ ଭାରତରେ ସମ୍ବାଦପତ୍ର ଓ ସମ୍ବାଦ ସଂସ୍ଥା ମାନଙ୍କର ମାନଦଣ୍ଡକୁ ରକ୍ଷା କରିବା। ନୂଆଦିଲ୍ଲୀ ସ୍ଥିତ ସୂଚନା ଭବନ, ସି. ଜି .ଓ. କମ୍ପ୍ଲେକ୍ସ, ଲୋଧି ରୋଡ ଠାରେ ପ୍ରେସ କାଉନସିଲ ର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ଶାଖା ନାହିଁ କିମ୍ବା ଏହି ନାମରେ ନାମିତ କୌଣସି ପ୍ରାଧିକୃତ ଅଙ୍ଗ ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟ କରେ ନାହିଁ। ମାତ୍ର ସମ୍ପ୍ରତି ପ୍ରେସ କାଉନସିଲ ଶବ୍ଦଟି ଅନ୍ୟ ପ୍ରେସ ସଂଗଠନ ମାନଙ୍କ ଦ୍ଵାରା ବ୍ୟବହୃତ ହେବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଯାହାଦ୍ବାରା ଯେ କେବଳ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ଅସ୍ତିତ୍ବ ଓ ପ୍ରତିଷ୍ଠା ର ମର୍ଯ୍ୟାଦା ହାନି ହେଉଛି ତାହା ନୁହେଁ, ବରଂ ଏହାର ବୈଶିଷ୍ଟ୍ୟପୂର୍ଣ୍ଣ ନାମ ଓ ଅଦ୍ୱିତୀୟ ଶକ୍ତି ଉପରେ ପ୍ରଭାବ ପକାଉଛି ।
ଏଣୁ ଆଇନଗତ ବ୍ୟାପାର ବିଭାଗ ସ୍ପଷ୍ଟ ମତ ଦେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ ଏହି ଶବ୍ଦ କୁ ବ୍ୟବହାର କରିବା ସଂପୂର୍ଣ୍ଣ ଆଇନ ବିରୁଦ୍ଧ, ଯାହାକି ପ୍ରତୀକ ଓ ନାମର ଅନୁଚିତ୍ ବ୍ୟବହାର ନିବାରଣ ନିୟମ ୧୯୫୦ ଅନୁସାରେ ଅବୈଧ ଅଟେ। ଏହି ପରିପ୍ରେକ୍ଷୀରେ କୌଣସି ସ୍ଥାନୀୟ ସଂସ୍ଥା କିମ୍ବା ସରକାରୀ ସଂସ୍ଥା ସଂଗଠନ ମାନଂକ ପ୍ରତି ପ୍ରେସ କାଉନସିଲ କିମ୍ବା ଏହାର ହିନ୍ଦୀ ଅନୁବାଦ 'ଭାରତୀୟ ପ୍ରେସ ପରିଷଦ, ନାମରେ ନିବନ୍ଧନ ବା ବ୍ୟବହାରକୁ ସର୍ବଦା ବାରଣ କରାଯାଇଛି। ଏହାର ଉଲଂଘନରେ ଆଇନ ଅନୁଯାୟୀ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ