ଜୟପୁର, ୨୭ ମଇ (ହି.ସ.)- ଆସନ୍ତା ଜୁନ ୫ ତାରିଖରେ ରବିମଣ୍ତି ଖୋଲିବ ବୋଲି ଜିଲ୍ଲାପାଳ ପତ୍ର ମାଧ୍ୟମରେ ଜଣାଇଛନ୍ତି। ମେ ୨୫ ତାରିଖରେ ଜିଲ୍ଲା ପ୍ରକ୍ୟୁରମେଣ୍ଟ ବୈଠକରେ ଦିନ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଲଘୁଚାପଜନିତ ବର୍ଷା ଧାନଅମଳ ସ˚ପର୍କରେ କୃଷି ବିଭାଗର ରିପୋର୍ଟକୁ ଦୃଷ୍ଟିରେ ରଖି ରବିମଣ୍ତିକୁ ଜୁନ ୫ କୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ପ୍ରକ୍ୟୁରମେଣ୍ଟ ବୈଠକରେ ଆସନ୍ତା ୨୫ ତାରିଖରେ ରବିମଣ୍ତି ଖୋଲିବା ଲାଗି ସ୍ଥିର କରାଯାଇଥିଲା। ଏହି ସମୟରେ କୁନ୍ଦୁରା ବ୍ଲକରେ ଧାନ ଅମଳ ହୋଇଥିବ ବୋଲି ଆକଳନ କରାଯାଉଥିଲା। ସେହି ଅନୁସାରେ କୁନ୍ଦୁରା ବ୍ଲକରେ ମଣ୍ତି ଉଦଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଅଥଚ ସେହି ବ୍ଲକରେ ମାତ୍ର ୨୦ ପ୍ରତିଶତ ଧାନ ଅମଳ ହୋଇଥିବା ସ˚ପର୍କରେ କୃଷି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଅନ୍ୟପକ୍ଷରେ ଏବେ ବର୍ଷା ହେଉଛି। ଆସନ୍ତା ଦୁଇଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ୨୫ ତାରିଖ ରବିମଣ୍ତି ଆରମ୍ଭ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା । ଦୁଇଦିନ ମଧ୍ୟରେ ଧାନ ଅମଳ ରିପୋର୍ଟକୁ ଦେଖି ଜୁନ ୫ ତାରିଖରେ ମଣ୍ତି ଆରମ୍ଭ ହେବ।
ସୂଚନା ଥାଉକି, ଜିଲ୍ଲା ପ୍ରକ୍ୟୁରମେଣ୍ଟ ବୈଠକରେ ୨୫ ତାରିଖ ମଣ୍ତି ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଥିଲେ ହେଁ ମିଲରଙ୍କ ସହ ଯୋଗାଣ ବିଭାଗର ଚୁକ୍ତି ହୋଇନି। ଜିଲ୍ଲାର ମିଲର୍ସ ଭାଗ ନେବେ ନାହିଁ ବୋଲି ଜଣାଇବା ପରେ ବଲାଙ୍ଗିର ସହ ଅନ୍ୟ ଜିଲ୍ଲାର ମିଲର ଏଠାକାର ମଣ୍ତିରୁ ଧାନ ଉଠାଇବେ। କେଉଁ କେଉଁ ମିଲର ଧାନ ଉଠାଇବେ, ତାହାର ତାଲିକା ପ୍ରସ୍ତୁତ ହୋଇନଥିବା ଜଣାପଡିଛି। ଏମିତିକି କେଉଁ ମିଲର ଏବ˚ କ୍ରୟକାରୀ ସ˚ସ୍ଥା କେତେ ଧାନ ଉଠାଇବେ ତାହାର ଟାର୍ଗେଟ ମିଳିନି। ଅନ୍ୟପକ୍ଷରେ ଚାଷୀଙ୍କ ପାଖକୁ ଟୋକେନ ଆସିନି। ଏସବୁ କାରଣରୁ ମଣ୍ତି ଘୁଞ୍ଚାଯାଇଥିବା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ତା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି