ସମ୍ବଲପୁର, ୨୭ ମଇ (ହି.ସ.) ସମ୍ବଲପୁର ବର୍ଷିୟାନ କ୍ରୀଡା ସଂଘ ଆନୁକୂଲ୍ୟରେ ସିଂହପାଲି ଖେଳ ପଡିଆ ରେ ଚାଲିଥିବା ୧୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଫୁଟବଲ ଖେଳାଳିମାନଙ୍କ ପ୍ରଶିକ୍ଷଣ ଶିବିର ଗତକାଲି ଉଦଯାପିତ ହୋଇଛି। ସଭାପତି ଗୋକୁଳ ଚନ୍ଦ୍ର ଦର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦଯାପନୀ ସଭାରେ ଶ୍ୟାମ ମେଟାଲିକ୍ସ ନିର୍ଦ୍ଦେଶକ ଦେବ କୁମାର ତିୱାରୀ ଓ ମହାନଗର ନିଗମ କମିଶନର ବେଦ ଭୂଷଣ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ସଦାଶିବ ପୁରୋହିତ କହିଲେ ପ୍ରଶିକ୍ଷଣ ଶିବିରରେ ୧୨୭ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସେ ଏହି ୧୬ ଦିନ ପ୍ରଶିକ୍ଷଣ ଶିବିରର ବିବରଣୀ ପ୍ରଦାନ କରିଥିଲେ। ଶିବିରରେ ପ୍ରଶିକ୍ଷକ ସୁରେଶ ଓରାମ, ଅଜୟ ବେହେରା, ସନ୍ତୋଷ ବିଶ୍ୱାଳ, ମନୋଜ ଭୋଇ, ଯୋଗେଶ୍ୱର ଓରାମ, ବିଭୂତି ମିର୍ଦ୍ଧା ଓ ପ୍ରଶାନ୍ତ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଉଦଯାପନୀ ସଭାର ମୁଖ୍ୟଅତିଥି ଜିଲାପାଳ ବୋନ୍ଦର ଜିଲା ବର୍ଷିୟାନ କ୍ରୀଡା ସଂଘର ଉଦ୍ୟମକୁ ପ୍ରଶଂସା କରି ଅନ୍ୟ ସଂସ୍ଥାଗୁଡିକ ସମ୍ବଲପୁରରେ ଫୁଟବଲ ଖେଳର ଉନ୍ନତି ପାଇଁ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ପ୍ରଶାସନ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଦେବା ସହିତ ଉନ୍ନତମାନର ଖେଳ ପଡିଆ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ପ୍ରଶିକ୍ଷଣ ଶିବିରକୁ ସଂଘର ସମସ୍ତ ସଦସ୍ୟ ପରିଚାଳନାରେ ସହାୟତା କରିଥିବା ବେଳେ ଶେଷରେ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ