ବଲାଙ୍ଗିର, ୨୭ ମଇ (ହି.ସ.)- ରାଜ୍ୟରେ ନୂଆ ସରକାର ଆସିଲା ପରେ ଅନେକ ସରକାରୀ କର୍ମଚାରୀ ସେମାନଙ୍କର ସମସ୍ୟାଗୁଡିକର ସମାଧାନ ହେବ ବୋଲି ଆଶା ରଖିଥିଲେ । କିନ୍ତୁ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ବୋଲି କହୁଛନ୍ତି । ସମାନକାମକୁ ସମାନ ଦରମା କଥା କହୁଥିବା ଭାଜପା ଦଳ ସରକାରକୁ ଆସିଲା ପରେ ପୂର୍ବର ବିଜେଡି ସରକାର କରିଥିବା ତୃଟିପୂର୍ଣ୍ଣ ନୀତିରେ ହିଁ ପରିଚାଳିତ ହେଉଛନ୍ତି । ସରକାରୀ କର୍ମଚାରୀଙ୍କ ମଧ୍ୟରେ ସପ୍ତମ ବେତନକମିଶନ ଭୋଗୀ ଓ ଷଷ୍ଠବେତନ କମିଶନ ଭୋଗୀଙ୍କ ମଧ୍ୟରେ ତାରତମ୍ୟ ରଖିଛନ୍ତି । ସପ୍ତମ କମିଶନ ବେତନଭୋଗୀଙ୍କୁ ସବୁପ୍ରକାର ସୁବିଧା ମିଳୁଥିବା ବେଳେ ଷଷ୍ଠକମିଶନ ବେତନ ଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗାଭତ୍ତାରୁ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ ହେଉଛି । ଓଡିଶା ସରକାରଙ୍କ ପତ୍ରସଂଖ୍ୟା୫୨୬୫ ତା.୧୧.୦୩.୨୦୨୪ ଅନୁଯାୟୀ ଯେଉଁ ଶିକ୍ଷକ ଓ କର୍ମଚାରୀମାନେ ୩୧.୧୨.୨୦୨୩ ସୁଦ୍ଧା ୧୦୦% ଗ୍ରାଣ୍ଟଇନଏଡ ପାଉଥିବେ ସେମାନେ ସପ୍ତମବେତନ କମିଶନ ହାରରେ ଦରମା ସହ ମହଙ୍ଗାଭତ୍ତା ପାଇବେ । କିନ୍ତୁ ଯେଉଁ କର୍ମଚାରୀମାନେ ସେହିମାନଦଣ୍ଡ ପୂରଣ କରି ପାରିଲେ ନାହିଁ ସରକାରଙ୍କ ଅଦେଶ ଅନୁଯାୟୀ ବଳିପଡିଲେ । ଷଷ୍ଠବେତନଭୋଗୀ ଶିକ୍ଷକ ଓ କର୍ମଚାରୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀ ତଥା ଶିକ୍ଷାସଚିବଙ୍କ ପାଖରେ ଦାବି କରିଥିଲେ ହେଁ ସେହି ସମସ୍ୟାର ସମାଧାନ କରାଗଲା ନାହିଁ । ଫଳରେ ପୂର୍ବସରକାର ଭଳି ରାଜ୍ୟର ନୂଆ ସରକାର ମଧ୍ୟ ଷଷ୍ଠବେତନଭୋଗୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ହେଉଛି । ଓଡିଶା ସରକାରଙ୍କ ଅର୍ଥବିଭାଗର ପତ୍ରସଂଖ୍ୟା -୧୧୭୨୧ ତା.୧୧.୦୪.୨୦୨୫ ଅନୁଯାୟୀ ସପ୍ତମବେତନ କମିଶନପାଉଥିବା କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗାଭତ୍ତ୫୩%ରୁ ବୃଦ୍ଧି ହୋଇ ୫୫% ଯାଏଁ ପିଛିଲା ଭାବେ ୦୧.୦୧.୨୦୨୫ ରୁ ବକେୟା ଅକାରରେ ପାଇବେ । ସେହିକ୍ରମରେ ଗତ ଅପ୍ରେଲ ମାସର ଦରମାରେ ବର୍ଦ୍ଧିତ ମହଙ୍ଗାଭତ୍ତା ମିଶକରି ପାଇଲେ । ଅଥଚ ସମାନକାମକୁ ସମାନ ଦରମା କହୁଥିବା ସେକାର ଆଜି ଯାଏଁ ଷଷ୍ଠବେତନ କମିଶନ ଭୋଗୀଙ୍କୁ ସପ୍ତମବେତନ କମିଶନରେ ସାମିଲ କଲେ ନା ବର୍ଦ୍ଧିତ ମହଙ୍ଗାଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଜାରି କଲେ । କେନ୍ଦ୍ରସରକାର ଏବେ ଅଷ୍ଟମବେତନ କମିଶନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାଜ୍ୟସରକାର ଷଷ୍ଠବେତନ କମିଶନ ଭୋଗୀଙ୍କ ସମସ୍ୟା ସମାଧାନ କରୁନାହାଁନ୍ତି । ପ୍ରତିଥର ସରକାର ସପ୍ତମବେତନକମିଶନ ଦରମା ପାଉଥିବା କର୍ମଚାରୀଙ୍କୁ ପୋଷ୍ୟପୁତ୍ର ଭାବେ ଦେଖୁଥିବା ବେଳେ ଷଷ୍ଠବେତନ କମିଶନ ଭୋଗୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ ଉଠୁଛି । ରାଜ୍ୟସରକାର ତୁରନ୍ତ ଷଷ୍ଠବେତନ କମିଶନଭୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ଶିକ୍ଷକ/କର୍ମଚାରୀ ମହଲରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ