କାଲିମେଳା ବ୍ଲକରେ ଚାଲିଥିବା ମନରେଗା ଯୋଜନା ପାଲଟିଛି ପ୍ରହସନ, ମେସିନ କରୁଛି କାମ!, ସମସ୍ତ କାମ ର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ
ମାଲକାନଗିରି, ୨୭ ମେ (ହି.ସ.)ଗତ କିଛିମାସ ହେଲା ମନରେଗା ଯୋଜନାରେ କାଲିମେଳା ବ୍ଲକରେ ବନ ବିଭାଗ, ଉଦ୍ୟାନ ବିଭାଗ, ଜଳ ବିଭାଜିକା ବିଭାଗ, ଆଇ ଟି ଡିଏ ଓ ଗ୍ରାମ ପଞ୍ଚାୟତ ପକ୍ଷରୁ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ କାଲିମେଳା ବ୍ଲକ ଚର୍ଚ୍ଚାରେ ରହିଆସିଛି । ଶ୍ରମିକମାନଙ୍କୁ କର୍
କାଲିମେଳା ବ୍ଲକରେ ଚାଲିଥିବା ମନରେଗା ଯୋଜନା ପାଲଟିଛି ପ୍ରହସନ, ମେସିନ କରୁଛି କାମ!(ସମସ୍ତ କାମ ର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ )


କାଲିମେଳା ବ୍ଲକରେ ଚାଲିଥିବା ମନରେଗା ଯୋଜନା ପାଲଟିଛି ପ୍ରହସନ, ମେସିନ କରୁଛି କାମ!(ସମସ୍ତ କାମ ର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ )


ମାଲକାନଗିରି, ୨୭ ମେ (ହି.ସ.)ଗତ କିଛିମାସ ହେଲା ମନରେଗା ଯୋଜନାରେ କାଲିମେଳା ବ୍ଲକରେ ବନ ବିଭାଗ, ଉଦ୍ୟାନ ବିଭାଗ, ଜଳ ବିଭାଜିକା ବିଭାଗ, ଆଇ ଟି ଡିଏ ଓ ଗ୍ରାମ ପଞ୍ଚାୟତ ପକ୍ଷରୁ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ କାଲିମେଳା ବ୍ଲକ ଚର୍ଚ୍ଚାରେ ରହିଆସିଛି । ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଶ୍ରମିକମାନଙ୍କୁ ନିୟୋଜିତ କରା ନ ଯାଇ ମେଶିନ ସହାୟତାରେ ଏବଂ ସ୍ଥାନୀୟ ଶ୍ରମିକ ପରିବର୍ତ୍ତେ ନବରଙ୍ଗପୁର ଜିଲ୍ଳାର ଶ୍ରମିକ ମାନଙ୍କ ଦ୍ୱାରା ରାସ୍ତା ଘାଟ, ଟ୍ରେଞ୍ଚ, ଫିଲଡ ଚ୍ୟାନେଲ, ଷ୍ଟୋନ ବାଇଣ୍ଡିଙ୍ଗ ଓ ପୋଖରୀ ଆଦିର ଉନ୍ନତିକରଣ ଏବଂ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି ।ଏନେଇ ଗ୍ରାମ ପଞ୍ଚାୟତର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ, ବ୍ଲକ ଉନ୍ନୟନ ଅଧିକାରୀ, ଜିଲା ପରିଷଦର ଉନ୍ନୟନ ଓ ମୂଖ୍ୟ କାର୍ଯ୍ୟର୍ନିବାହୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏନେଇ ଖବର କାଗଜରେ ମଧ୍ୟ ନିୟମିତ ଭାବେ ପ୍ରମାଣ ସହିତ ଖବର ପ୍ରକାଶିତ ହୋଇ ଆସୁଛି । ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଏଥିରେ କୋଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବପରି ମେଶିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଫଳରେ କାମଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଏଭଳି ଅନିୟମିତତାରେ ଗ୍ରାମ ପଞ୍ଚାୟତର ଏଡିଇଓ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ସାଧାରଣରେ ଅଭିଯୋଗ ହେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଦୋଷ ଦୁର୍ବଳତାକୁ ଲୁଚାଇବା ନିମନ୍ତେ ମନରେଗା ଯୋଜନାରେ ସ୍ବଚ୍ଛତା ଆଣିବାକୁ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଏନଏମଏମଏସ(ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ)ରେ ମଧ୍ୟ ଜାଲିଆତି ପୂର୍ବକ ତଥ୍ୟ ଅପଲୋଡିଂ କରାଯାଉଛି । ଏପରିକି ଗୋଟିଏ ଦିନରେ ଉଠାଯାଇଥିବା ଫଟୋକୁ ଭିନ୍ନ ଦିନରେ ଏକାଧିକବାର ଏନଏମଏମଏସରେ ଅପଲୋଡ କରାଯାଉ ଥିବା ଏବଂ ମୋବାଇଲ ରେ ଉଠା ଯାଇଥିବା ବହୁ ପୁରୁଣା ଫୋଟ ଅପଲୋଡ଼ କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଭଳି ଫଟୋକୁ ଅପଲୋଡ କରି ପ୍ରଶାସନକୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଇଛି । ବିଧି ବ୍ୟବସ୍ଥା ଅନୁଯାୟୀ ମନରେଗା ଯୋଜନାରେ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା (କାମ କରୁଥିବା ଅବସ୍ଥାରେ)ଶ୍ରମିକ ମାନଙ୍କର ଫଟୋ ଅପଲୋଡ ହେବା କଥା। ମାତ୍ର ଏଠାରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ମେଶିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯିବାସହ ଜାଲିଆତି ପୂର୍ବକ ଫଟୋ ଅପଲୋଡ ହେଉଛି ।ତେବେ ସେ ଯାହା ହେଉନା କାହିଁକି ଏହି ବ୍ଲକରେ ବିଭିନ୍ନ ଵିଭାଗ ଦ୍ୱାରା ଚାଲିଥିବା ମନରେଗା କାର୍ଯ୍ୟ ର ଜିଲା ପରିଷଦର ଉନ୍ନୟନ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମାଲକାନଗିରି ଜିଲାପାଳ ଓ ଭିଜିଲାନ୍ସ ବିଭାଗ ଏ ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande