ସମ୍ବଲପୁର, ୨୭ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ଗ୍ରାମରୁ ଡ଼ୁମାମୁରା ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୫କିଲୋମିଟର ରାସ୍ତା ଅବସ୍ଥା ଏବେ ଅତି ସଂକଟାପନ୍ନ ଅବସ୍ଥାରେ ପହଂଚି ଏକ ମରଣଯନ୍ତାର କର୍ତବ୍ୟ ସମ୍ପାଦନ କରୁଛି। ଜମନକିରା ଆର ଡି ବିଭାଗ ଅଧୀନରେ ଥିବା ଏହି ରାସ୍ତା ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅଧିକାରୀଙ୍କ ଆଖି ପଡ଼ିନାହିଁ । ରାସ୍ତା ନିର୍ମାଣ କରି ରାସ୍ତାର ରକ୍ଷଣା ବେକ୍ଷଣା ଦାୟିତ୍ୱ ଭୁଲି ଯାଇଥିବା ନେଇ ବିଭିନ୍ନ ସମୟରେ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଆର ଡି ବିଭାଗ ଦ୍ୱାରା ଜମନକିରା ବ୍ଲକ ଅଂଚଳର ବିଭିନ୍ନ ଗ୍ରାମରେ ରାସ୍ତା ତିଆରି କରାଯାଇଛି । ମାତ୍ର ରାସ୍ତା ତିଆରି ପରେ ପ୍ରତ୍ୟେକ ୫ ବର୍ଷ ମଧ୍ୟରେ ରାସ୍ତା ଖରାପ ହେବା ପରେ ଉକ୍ତ ରାସ୍ତାର ପୁନଃରୁଦ୍ଧାର କାର୍ଯ୍ୟ କରିବାର ଦାଇତ୍ୱକୁ ଆର ଡି ବିଭାଗ ଅଣଦେଖା କରିଆସୁଛି। ବ୍ଲକର ଅନେକ ଅଂଚଳର ରାସ୍ତା ୫ ବର୍ଷ ରୁ ଅଧିକ ଲେଖାଏଁ ମରଣଯନ୍ତାର ସାଜିଥିଲେ ମଧ୍ୟ ବିଭାଗ ଏହା ଉପରେ କୈାଣସି ଗୁରୁତ୍ୱ ଦେଉନଥିବା ବିଭିନ୍ନ ସମୟରେ ଅଂଚଳବାସୀ ଅଭିଯୋଗ କରିଆସୁଛନ୍ତି । ଏହି ପରି ଏକ ଅଭିଯୋଗ ଆସିଛି ଟିକିଲିପଡା ଡ଼ୁମାମୁରା ଗ୍ରାମରୁ ।
ସୂଚନା ମୁତାବକ ଜମନକିରା ବ୍ଲକ ଟିକିଲିପଡା ପଂଚାୟତ ଡ଼ୁମାମୁରା ଗ୍ରାମରୁ ଏନ ଏଚ ରାସ୍ତା କୁ ୨ କିମି ରାସ୍ତା ଆର ଡି ବିଭାଗ ପକ୍ଷରୁ ୧୦ ବର୍ଷ ପୂର୍ବେ ରାସ୍ତା ତିଆରି କରାଯାଇଥିଲା । ହେଲେ ପ୍ରତ୍ୟକ ୫ ବର୍ଷ ମଧ୍ୟରେ ରାସ୍ତା ଖରାପ ହେଲେ ରାସ୍ତା ର ପୁନଃରୁଦ୍ଧାର ପାଇଁ ବିଭାଗର ଦାଇତ୍ୱ ରହୁଥିବା ବେଳେ ଏହି ରାସ୍ତାକୁ ୧୦ ବର୍ଷ ରୁ ଉପରେ ହେବ ତଥାପି ରାସ୍ତା ମରାମତି ପାଇଁ ବିଭାଗ ଧ୍ୟାନ ଦେଉ ନାହିଁ । ଯାହା ଫଳରେ ଏବେ ରାସ୍ତା ତି ଆହୁରି ଆହୁରି ଖରାପ ହେବାକୁ ବସିଲାଣି । ଟିକିଲିପଡା ଡ଼ୁମାମୁରା ଗ୍ରାମର ଜନସଂଖ୍ୟା ପ୍ରାୟ ୨ ସହ ରୁ ଅଧିକ ରହୁଥିବା ବେଳେ ଏହି ରାସ୍ତା ଦେଇ ଦୈନନ୍ଦିନ ଦେବଗଡ଼ ଜିଲ୍ଲା ସୀମା ରୁ ଅନେକ ଗ୍ରାମର ଲୋକ ମଧ୍ୟ ଜମନକିରା କୁ ଯିବା ଆସିବା କରିଥାନ୍ତି । ଦୈନନ୍ଦିନ ଏହି ରାସ୍ତା ଦେଇ ଦୁଇ ଚକିଆ ଜାନ ଠୁ ଧରି ଛଅ ଚକିଆ ଜାନ ଯିବା ଆସିବା କରୁଥିବା ବେଳେ ରାସ୍ତାଟି ଏବେ ଆହୁରି ଖରାପ ହେବାକୁ ବସିଲାଣି । ପୁଣି ଡ଼ୁମାମୁରା ରେ ଏକ ଡ୍ୟାମ ରହୁଥିବା ବେଳେ ଏହା ଅଂଚଳରେ ଏକ ପିକନିକ ସ୍ପଟ ଭାବରେ ଖୁବ ପରିଚିତ । ଯାହା ଫଳରେ ଏଠିକାର ସୌନ୍ଦର୍ଯ୍ୟକୁ ଆକର୍ଷିତ ହୋଇ ଦୂରଦୂରାନ୍ତରୁ ଅନେକ ଯାତ୍ରୀ ଏଠାକୁ ଆସିଥାନ୍ତି । କିନ୍ତୁ ଏବେଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ପିଚୁ ଉଠି ମେଟାଲ ଗୁଡିକ ସବୁ ବାହାରି ପଡିଛି ଅନେକ ସ୍ଥାନ ରେ ଅନେକ ବଡ଼ ବଡ଼ ଗର୍ତ ହୋଇଯାଇଛି । ଏମିତି କି ଏହି ରାସ୍ତାରେ ଥିବା ଦୁଇ ତିନିଟି କଲଭର୍ଟ ରେ ବଡ ବଡ଼ ଗର୍ତ ହୋଇ ଉଠିଥିବାରୁ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ଅନେକ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି । ଗ୍ରାମର ସଞ୍ଜୟ ବଂଚୁର କହନ୍ତି ଏହି ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଦେଖିବାକୁ ମିଳୁଛି ଏବଂ ତାଙ୍କୁ ହସ୍ପିଟାଲ କୁ ମଧ୍ୟ ହାମେ ନେଉଛୁ । ଏହାକୁ ନେଇ ଏବେ ବିଭାଗ କୁ ଅନେକ ଥର ଅବଗତ କରାଇଛୁ କିନ୍ତୁ ବିଭାଗ ପକ୍ଷରୁ ଏବେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉନାହିଁ । କୌଣସି ସମୟରେ କୌଣସି ବଡ଼ ଦୁର୍ଘଟଣା ଘଟେ ତାହା ହେଲେ ଏଥି ପ୍ରତି ସମ୍ପୂର୍ଣ ଦାୟୀ ବିଭାଗ ରହିବ ବୋଲି ମାଝୀ ଙ୍କ ସହ ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ଆର ଡି ଯନ୍ତ୍ରୀ ଅଶୋକକୁ ଦାସ ଙ୍କୁ ପଚାରିବାରୁ ସେ ରାସ୍ତା ଟି ସମ୍ବଲପୁର ଏବଂ ଦେବଗଡ଼ ଆରଡ଼ି ବିଭାଗ ରେ ଥିବାରୁ ବିଳମ୍ବ ହେଉଛି ଆମେ ଏହି ରାସ୍ତା ଖରାପଥିବା ଉଚ୍ଚ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ ଆମେ ଆଶାକରୁଛୁ ନଭେମ୍ବର ସୁଦ୍ଧା କାମ ଆରମ୍ବ ହୋଇଯିବ ବୋଲି କହିଥିଲେ । ତେଣୁକରି ବିଭାଗୀୟ ଅଧିକାରୀ ଏବଂ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଅନୁଧ୍ୟାନ କରି ରାସ୍ତା କୁ ଉପଯୋଗୀ କରିବା ପାଇଁ ଗ୍ରାମବାସୀଙ୍କ ଦାବୀ ହେଉଛି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ