ଧର୍ମଶାଳା, ୨୭ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳାର ପ୍ରାକ୍ତନ ବିଧାୟକ ଏବଂ ବନ୍ଦେ ଉତ୍କଳ ଜନନୀର ପ୍ରତିଷ୍ଠାତା ସ୍ୱର୍ଗତ ରବି ଲାବଣ୍ୟଙ୍କ ୮୮ ତମ ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଅୟୋଜକ ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜାରକା ଷ୍ଟାଡିୟମ ସଭାଗୃହରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ରାଜ୍ୟର ବହୁ ବିଶିଷ୍ଟ ରାଜନେତା, ସାମ୍ବାଦିକ, ଖବରକାଗଜ ସମ୍ପାଦକ, ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ସମେତ ସ୍ୱର୍ଗତ ଲାବଣ୍ୟଙ୍କ ଶୁଭେଚ୍ଛୁ ତଥା ସହଯୋଗୀ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସ୍ମରଣିକା ‘ସ୍ୱାଭିମାନ’ର ତୃତୀୟ ଭାଗ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବ । ଏହି ନିର୍ବାଚନ ମଣ୍ଡଳୀ ଅରଙ୍ଗାବାଦସ୍ଥିତ ବନ୍ଦେ ଉତ୍କଳ ଜନନୀ ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଧର୍ମଶାଳା ବାଣୀପୀଠର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ମଦନ ମୋହନ କଣ୍ଠଙ୍କୁ ରବି ଲାବଣ୍ୟ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ ଦି ଗ୍ରେଟ ଓଡିଶା ପଲିଟିକାଲ ସର୍କସର ଦିବଙ୍ଗତ ହାସ୍ୟ ଅଭିନେତା ସ୍ୱଗର୍ତ ଅଜୟ ନାୟକଙ୍କୁ ମରଣୋତର ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ପିତାଙ୍କର ସ୍ମତି ରକ୍ଷା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ୱର୍ଗତ ଲାବଣ୍ୟଙ୍କ ଜ୍ୟେଷ୍ଠ ପୁତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶ ଏବଂ କନିଷ୍ଠ ପୁତ୍ର ଆଇନଜୀବୀ ଶ୍ୟାମପ୍ରସାଦ ଦାଶ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ