ପୁରୀ, ୨୭ ମଇ (ହି.ସ.) - ପାକିସ୍ଥାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଭାରତର ହରିଆଣା ହିସାର ଜିଲ୍ଲାର ଜ୍ୟୋତି ମାଲହୋତ୍ରାକୁ ପୋଲିସ ଗିରଫ କରି ରିମାଇଣ୍ଡର ଆଣି ପଚରାଉଚରା କରିବା ସହ ଅନେକ ତଥ୍ୟ ପୋଲିସ ସୁରାକ ପାଇଛି । ଜ୍ୟୋତି ସହ ଓଡ଼ିଶାର ପୁରୀ ଝିଅ ପ୍ରିୟଙ୍କା ସେନାପତି ଜ୍ୟୋତିଙ୍କୁ ବିଭିନ୍ନ ଆଡେ ବୁଲାଇବା ସହ ଭିଡିଓ ସୁଟିଂ କରିଥିଲେ । ଜ୍ୟୋତିଙ୍କ ଠାରୁ ହରିଆଣା ପୋଲିସ,ଏନଆଇଏ ତଥ୍ୟ ସଂଗ୍ରହ କରିବା ପରେ ହରିଆଣା ପୋଲିସ, ଏନଆଇଏ ଓ ପୁରୀ ପୋଲିସ ପ୍ରିୟଙ୍କା ସେନାପତିଙ୍କ ଠାରୁ ଠୋସ ତଥ୍ୟ ଜାଣିବା ପାଇଁ ମେ ୧୭ ତାରିଖରୁ ଆଜକୁ ୧୧ଦିନ ହେଲାଣି ଘନଘନ ଜେରା କରିବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି । ତଦନ୍ତ ବିଳମ୍ବ ଯୋଗୁ ଏତେ ବଡ ଜାତୀୟସ୍ତରର ସ୍ପର୍ଶକାତର ଘଟଣା ହାତୀ...ପା...ପା...ଫୁସ୍ ହୋଇଯିବନି ତ ବୋଲି ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଲୋକମାନେ ଆଲୋଚନା କରୁଛନ୍ତି । ବିଶେଷକରି ଶ୍ରୀମନ୍ଦିର ଘଟଣା, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାର ଭିଡିଓ କ୍ଲିପ ପାକିସ୍ତାନ ହାତରେ ପଡିଛି କି ନାହିଁ ସେ ସନ୍ଦେହରେ ସହରବାସୀ ସନ୍ଦିହାନ ଅବସ୍ଥାରେ ରହିଥିବା ଚର୍ଚ୍ଚା ହେଉଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଜ୍ୟୋତି-ପ୍ରିୟଙ୍କା ଓ ତାଙ୍କର ସହଯୋଗି ଯୁବକଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖିବା ପରେ କାହିଁକି ଛାଡିଦେଲା ତାକୁ ନେଇ ଅନେକ ସନ୍ଦେହ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜ୍ୟୋତି ମୋବାଇଲରୁ ଡିଲିଟ କରିଥିବା ଅନେକ ତଥ୍ୟ ଏନଆଇଏ ହାସଲ କରିଥିବା ବେଳେ ପ୍ରିୟଙ୍କା ଡିଲିଟ କରିଥିବା ଭିଡିଓ ଫଟୋ ,ଅନେକ ସାଙ୍ଗଙ୍କୁ ଅନପ୍ରେଣ୍ଡ କରିବା,ୟୁଟ୍ୟୁବ ଆକାଉଂଟକୁ ପ୍ରାଇଭେଟ କରିବା, ମୋବାଇଲ ଫୋନକୁ ସୁଇଚ ଅଫ ରଖିବା ଆଦି ଅନେକ ରହସ୍ୟମୟ ଘଟଣା ତଦନ୍ତକାରୀ ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ସଂସ୍କୃତି ସମ୍ପନ୍ନ ପୁରୀ ସହରର ଝିଅ ହୋଇ ପୁରୀରୁ ପାକିସ୍ତାନ କାହିଁକି ଗଲେ, ସେଠାରେ କେଉଁଠି ରହିଲେ, ଜ୍ୟୋତି ଓ ପ୍ରିୟଙ୍କା ସେଠାରେ କଣ କରୁଥିଲେ, କେଉଁ କେଉଁ ସ୍ଥାନ ବୁଲିଲେ, ତାଙ୍କ ସୁରକ୍ଷାରେ କିଏ ରହିଥିଲେ, ସେଠାରେ ଗୋଇନ୍ଦାଗିରି ତାଲିମ ନେଇଥିଲେ କି ନାହିଁ ଏଭଳି ଅନେକ ପ୍ରଶ୍ନ ପୁରୀ ସହରବାସୀଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି । ତଦନ୍ତ ବିଳମ୍ବିତ ନକରି ଆଗକୁ ଆସୁଥିବା ରଥଯାତ୍ରା ପୂର୍ବରୁ ଜନତାଙ୍କୁ ସ୍ପଷ୍ଟ ଚିତ୍ର ଜଣେଇବା ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ