ପୁରୀ, ୨୭ ମଇ (ହି.ସ.)- ଗତ ଦୁଇଦିନ ତଳେ ବଳିଆପଣ୍ଡା ଲାଇଟହାଉସ ନିକଟରେ ସ୍ପିଡ୍ ବୋଟ ସମୁଦ୍ରରେ ପର୍ଯ୍ଯଟକଙ୍କୁ ବୁଲାଉ ଥିବାବେଳେ ବୁଡିଯିବା ଓ ପର୍ଯ୍ଯଟକ ମରଣ ମୁଖରୁ ବଞ୍ଚି ଯାଇଥିଲେ । ଏହି ଘଟଣାକୁ ନେଇ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ସି ୱାଟର ସ୍ପୋର୍ଟ୍ସ ନାମରେ ପର୍ଯ୍ଯଟକଙ୍କ ଜୀବନ ସହ ଖେଳୁଛନ୍ତି । ପାରା ମଟୋରିଂ ଆଣ୍ଡ ପାରା ଗ୍ଲାଇଡିଂ, ପୁରୀ ସ୍କାଏ ଡାଇଭି ଆଡଭେଞ୍ଚର କମ୍ପାନୀ ଜାଣିଶୁଣି ପର୍ଯ୍ଯଟକଙ୍କୁ ମରଣ ସହ ଖେଳ ଖେଳିବା ପାଇଁ ସମୁଦ୍ରଗର୍ଭକୁ ଛାଡୁଛନ୍ତି । ୨୦୨୩ ଅକ୍ଟୋବର ୧ ତାରିଖରେ ମଧ୍ୟ ଏଭଳି ଘଟଣା ଘଟିଥିଲା । ସଂପୃକ୍ତ ସଂସ୍ଥା ପର୍ଯ୍ଯଟକ ମାନଙ୍କୁ ମାର୍ଗଦର୍ଶିକା ଲିଖିତ ଆକାରରେ ଦେବା ଓ ବୀମା ବାଧ୍ୟତାମୂଳକ କରିବା ନିୟମ ଥିଲେ ମଧ୍ୟ ଅନୁଷ୍ଠାନ ତାହା କାର୍ଯ୍ୟକାରୀ କରୁନାହିଁ । ସଂପୃକ୍ତ ସଂସ୍ଥାର ଅନୁମତି ପତ୍ର, ରେଜିଷ୍ଟ୍ରେସନ ଓ ଲାଇସେନ୍ସ, ଟ୍ରେନିଂ ସାର୍ଟିଫିକେଟ ଓ ସଂଧ୍ଯା ୬ଟା ପରେ କିପରି ବୋଟ ସମୁଦ୍ର ଭିତରକୁ ଛଡାଗଲା ସେ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରିବାକୁ ଶ୍ରୀ ଦାଶ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ