ଜୟପୁର, ୨୮ ମଇ (ହି.ସ.) - ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସ୍ତୁତି ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ପୁଲିସ ପହଁଚିବା ପରେ ଉତେଜନା ଥମିଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଚିକିତ୍ସା ଅବହେଳାରୁ ପ୍ରସ୍ତୁତିଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବୈପାରିଗୁଡା ହନୁମାନ ନଗର ଅଂଚଳର ପୂର୍ଣ୍ଣିମା ବାଘ ଗର୍ଭବତୀ ଥିବାବେଳେ ସେ ଗତକାଲି ବୈପାରିଗୁଡା ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ବୈପାରିଗୁଡା ଚିକିତ୍ସାଳୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଆଜି ସକାଳୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା। ସକାଳ ୧୧ଟା ସମୟରେ ପୂର୍ଣ୍ଣିମାଙ୍କ ଅସ୍ତ୍ରୋପଚାର କରିବା ପରେ ତାଙ୍କ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା। ପୁତ୍ର ସନ୍ତାନକୁ ଏସଏନସିୟୁରେ ରଖିବା ପରେ ପୂର୍ଣ୍ଣିମାକୁ ସ୍ତ୍ରୀ ଓ ପ୍ରସୁତୀ ବିଭାଗରେ ଚିକିତ୍ସା କରାଯାଉଥିଲା। ପୂର୍ଣ୍ଣିମାଙ୍କ ରକ୍ତଚାପ ବଢିବା ତଥା ଅଣନିଶ୍ୱାସ ଅନୁଭବ କରିବାରୁ ତାଙ୍କ ସପ୍ସପର୍କିୟ ମାନେ ନିକଟରେ ଥିବା ନର୍ସ ଓ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଡାକ୍ତର ଘଟଣା ସ୍ଥଳରେ ପହଁଚିବାରେ ବିଳମ୍ବ କରିଥିବା ଯୋଗୁଁ ପ୍ରସୁତିଙ୍କ ସନ୍ଧ୍ୟା ୬ଟା ସମୟରେ ମୃତ୍ୟୁ ହୋଇଛି ବୋଲି ପୂର୍ଣ୍ଣିମାଙ୍କ ସ୍ୱାମୀ ଅଜୟ ସଗରିଆ ଅଭିଯୋଗ କରିଛନ୍ତି।
ମୃତ୍ୟୁ ଖବର ପ୍ରଚାର ହେବା ପରେ ପୂର୍ଣ୍ଣିମାଙ୍କ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୁତିଙ୍କ ଜୀବନ ଚାଲିଗଲା ବୋଲି କହି ଉତ୍ୟକ୍ତ ହେବା ସହ ଯେଉଁ ଡାକ୍ତର ଅସ୍ତ୍ରୋପଚାର କରିଛନ୍ତି ସେହି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବପ୍ସ ଅବହେଳାର କାରଣ ସ୍ପଷ୍ଟ କରନ୍ତୁ ବୋଲି ଉତ୍ୟକ୍ତ ପରିବାର ଲୋକେ ପାଟି କରିଥିଲେ। ଘଟଣା ସ୍ଥଳରେ ଜୟପୁର ସଦରପୁଲିସ ପହଁଚିବା ପରେ ଘଟଣା ଟି ଶାନ୍ତ ପଡିଥିଲା। ଆସନ୍ତା କାଲି ଡାକ୍ତରଙ୍କୁ ଡାକି ଏହାର କାରଣ ପଚାରାଯିବ ବୋଲି କହିବା ପରେ ପରିବାର ଲୋକେ ପ୍ରସୁତି ମହିଳାଙ୍କ ମୃତଦେହକୁ ସ୍ତ୍ରୀ ଓ ପ୍ରସୁତି ବିଭାଗ କକ୍ଷରୁ ବାହାରକୁ ଅଣାଯାଇଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି