ଭଦ୍ରକ, ୨୮ ମଇ (ହି.ସ.) - ଟ୍ୟୁସନ୍କୁ ଯାଇ ଆଉ ଘରକୁ ଫେରିଲେନି ନାବାଳିକା । ଘଟଣାର ୧୪ ଦିନ ବିତିଗଲାଣି । ହେଲେ ପୁଲିସ୍ ନିଧଡ଼କ । ସତେ ଯେମିତି କିଛି ନଘଟିବା ଭଳି ନାହିରେ ତେଲ ଦେଇ ଶୋଇଛି । ଆଉ ସବୁଠାରୁ ବଡ଼ କଥାଟି ହେଉଛି, ଏନେଇ ପୁଲିସ କହୁଛି, ସିଡ଼ିଆର ରିପୋର୍ଟ ଆସିନି । ରିପୋର୍ଟ ପରେ ଯାହା କିଛି ପଦକ୍ଷେପ ନିଆଯିବ । ଏଭଳି ସ୍ଥିତିରେ ପରିବାର ଲୋକଙ୍କ ମନରେ କ’ଣ ବିତୁଥିବ ତାହା ସହଜେ ଅନୁମେୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଥିଲେ ବି ପୁଲିସ ବାବୁମାନେ ଫୁ’ କରିଦେଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ନାବାଳିକା ନିଖୋଜ ଅଭିଯୋଗର ୧୪ ଦିନ ପରେବି ଅଧିକାରୀ କହୁଛନ୍ତି ଆସିନି ସିଡିଆର ରିପୋର୍ଟ, ଆସିଲେ ତଦନ୍ତ କରିବୁ । ପୋଲିସ ଅଧିକାରୀଙ୍କ ଏଭଳି ଅଜବ ଯୁକ୍ତି ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିବା ସ୍ୱାଭାବିକ । ଗତ ୧୫ ତାରିଖ ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ସାହାପୁର ପଂଚାୟତର କାନିସାହି ଗ୍ରାମର ଶାନ୍ତିଲତା ବଳଙ୍କ ୧୪ ବର୍ଷର ଝିଅ ଟ୍ୟୁସନ୍ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ଝିଅକୁ ପାଇନଥିଲେ । ପରେ ଝିଅକୁ ଅପହରଣ କରାଯାଇଥିବା ନେଇ ପୀରହାଟ ପୋଲିସ ଅଧିକାରିଣୀ ରୋଜାଲିନ ବେହେରାଙ୍କୁ ଅଭିଯୋଗ କରିଥିଲେ । ସେ ସନ୍ଦେହ କରୁଥିବା କିଛି ବ୍ୟକ୍ତିଙ୍କ ନାଁ ମଧ୍ୟ ସେହି ଅଭିଯୋଗ ପତ୍ରରେ ଲେଖିଥିଲେ । ହେଲେ ପରିତାପର ବିଷୟ ପୋଲିସ ଅଭିଯୋଗକୁ ସେହିଦିନ ଅପରାହ୍ନ ୪.୧୬ରେ ଗ୍ରହଣ କରି ଏସଆଇ ତାପସ କୁମାର ମହାନ୍ତିଙ୍କୁ ତଦନ୍ତ ଭାର ଦେଇଥିଲେ । କିନ୍ତୁ ଅଭିଯୋଗକାରିଣୀଙ୍କୁ ଏଫଆର କପି ଦେଇନଥିଲେ । ତିନିଦିନ ଥାନାକୁ ଦୌଡ଼ିବା ପରେ ଅର୍ଥାତ୍ ୧୮ ତାରିଖରେ ଏତଲା କପି ମିଳିଥିଲା । ଏପଟେ ନାବାଳିକା ଝିଅକୁ ନପାଇ ପୁରା ପରିବାର ମାନସିକ ଦୁଃସ୍ଥିତିରେ ରହି ଖବର ବୁଝିବାକୁ ପ୍ରତ୍ୟେକ ଦିନ ଥାନାକୁ ଦୌଡୁଥିବା ବେଳେ ଥାନା ଅଧିକାରୀ କିନ୍ତୁ ନିଶ୍ଚିନ୍ତରେ ଦିନପରେ ଦିନ ଗଡ଼ାଇ ଚାଲୁଛନ୍ତି । ଶେଷରେ ୨୫ ତାରିଖରେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଏଯାଏଁ ଆସିନି ସିଡିଆର ରିପୋର୍ଟ, ଆହୁରି ଦୁଇଦିନ ଲାଗିବ । ଆସିଲେ ଆମେ ତଦନ୍ତ ଆଗକୁ ବଢେଇବୁ । ପ୍ରଶ୍ନ ଉଠୁଛି ଯେତେବେଳେ ସାଧାରଣ ଲୋକଙ୍କୁ ବିନା ଭୟ ଓ ପକ୍ଷପାତିତାରେ ତୁରନ୍ତ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ କହି ଆସୁଛନ୍ତି। ସେତିକିବେଳେ ପୀରହାଟ ପୋଲିସର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ