ପୁରୀ, 28 ମେ (ହି.ସ.) -ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ପୁରୀ ସହର ସମେତ ସଦର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ତୁହାକୁ ତୁହା ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁ ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ମିଳିଛି ।ଦୀର୍ଘ ବର୍ଷର ବ୍ଯବଧାନ ପରେ ଚଳିତବର୍ଷ ସଅଳ ମୌସୁମୀ ଆସିବାରୁ ଚଳିତବର୍ଷ ଭଲ ଫସଲ ହେବା ନେଇ ଚାଷୀକୂଳ ଆଶା ବ୍ୟକ୍ତ କରିଛି ।ବିଲବାଡିରେ ବର୍ଷା ପାଣି ହେବାରୁ ଚାଷୀ ଧାନଚାଷ ଲାଗି ତତ୍ପରତା ପ୍ରକାଶ କରିଛି । ଲଘୁଚାପଜନିତ ଲଗାଣ ବର୍ଷାରେ ବଡଦାଣ୍ଡ ସମେତ ସହର ତଳି ଅଞ୍ଚଳରେ ପାଣି ଜମିଥିବା ଦେଖାଯାଇଛି । ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଲାଗିରହିଥିଲା । ରାତି ୧୨ଟାରୁ ଆରମ୍ଭ ହୋଇ ବୁଧବାର ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁ ବଡଦାଣ୍ଡରେ ବର୍ଷା ପାଣିର ସୁଅ ଛୁଟିବା ସହ ପ୍ରବଳ ବର୍ଷାରେ ସହରର ଅଧିକାଂଶ ସ୍ଥାନରେ ଜଳମଗ୍ନ ହୋଇପଡିବା ଆଶଙ୍କା ରହିଛି । ରଥଯାତ୍ରା ପାଇଁ ଆଗରୁ ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ବଡନାଳ ଗୁଡିକ ସଫେଇ କାର୍ଯ୍ୟ ସରିଯାଇଛି । ବଡଦାଣ୍ଡ ନାଳ ସହ ସଂଯୋଗ କରୁଥିବା ବାଙ୍କିମୁହାଣ ନାଳ ଏବଂ ସାହି ନାଳ ଗୁଡିକ ଏପର୍ଯ୍ୟନ୍ତ ସଫା ହୋଇନଥିବାରୁ ବର୍ଷାଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି କୁହାଯାଉଛି । ଆଗକୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିବା ପରେ ନିଷ୍କାସନ ପାଇଁ ପୌରସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ ଯୋଜନା କରାନଗଲେ ବର୍ଷାଜଳରେ ସହର ଉବୁଟୁବୁ ହେବାର ସମ୍ଭାବନା ରହିଛି । ରଥଯାତ୍ରା ପାଖେଇ ଆସୁଥିବାରୁ ଗୁରୁବାର ଦିନ ଠାରୁ ମେଡିକାଲ ଛକ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡଦାଣ୍ଡରେ ପିଚୁ ପଡୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ନବୀକରଣ କରାଯାଇନଥିବାରୁ ବର୍ଷାଜଳ ଦୀର୍ଘ ସମୟ ଧରି ଜମିରହୁଛି । ବର୍ଷା ଲାଗି ରହିଥିବାରୁ ସହରର ତଳି ଅଞ୍ଚଳ ବସ୍ତିରେ ପାଣି ଜମି ରହିବା ଯୋଗୁ ବାସିନ୍ଦାମାନଙ୍କ ସମସ୍ଯା ବଢିଯାଇଛି । ଖାଲଖମା ରାସ୍ତାରେ ବର୍ଷାଜଳ ଜମି ରହିବା ଯୋଗୁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଟିଆପଡା ଓ ସିଦ୍ଧମହାବୀର ରେଳ ଫାଟକ ଠାରୁ ରାସ୍ତା ଗୁଡିକ ଖାଲଖମା ଯୋଗୁ ମରଣଯନ୍ତା ପାଲଟିଛି । ସାହି ଗଳିକନ୍ଦିର ଉଭୟ ପାର୍ଶ୍ବ ଛୋଟ ଛୋଟ ନାଳ ଗୁଡିକ କେତେକ ସଫେଇ କାର୍ଯ୍ୟ ସରିଥିବା ବେଳେ ଅଧିକାଂଶ ସାହିର ନାଳ ଗୁଡିକ ଏପର୍ଯ୍ୟନ୍ତ ସଫେଇ ହୋଇନଥିବାରୁ ବର୍ଷାଜଳ ରାସ୍ତାରେ ଜମୁଛି । ତୁହାକୁ ତୁହା ବର୍ଷା ଯୋଗୁ ସିଦ୍ଧମହାବୀର,ଭାରତୀପୁର, ସେନାପତି ବଗିଚା, କୁମୁଟିପାଟଣା, ଟିକରପଡା, ଗୁଣ୍ଡିଚା ବିହାର, ରାମଚଣ୍ଡୀ ବାଲିକୁଦ ବସ୍ତି, ସର୍ବୋଦୟ ନଗର,ମଧୁବନ, ମାଟିତୋଟା, ସୁଜାତାନଗର ସମେତ ଅବକାଶଲେନ,ରାୟବାହାଦୁର ଲେନ,ଷ୍ଟେସନ ଅଞ୍ଚଳ ବସ୍ତି ଓ ସାହି ମାନଙ୍କରେ ବର୍ଷାଜଳ ଜମୁଥିବାରୁ ଯାଆଆସ କରିବା ପାଇଁ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନଯାକ ବର୍ଷା ଲାଗି ରହିଥିବାରୁ ବଡଦାଣ୍ଡ ସମେତ ନବକଳେବର ରୋଡ, ଚକ୍ରତୀର୍ଥ ରୋଡ, ବଳିଆପଣ୍ଡା, ମଙ୍ଗଳାଘାଟ , ଭିଆଇପି ରୋଡ ଓ ବେଳାଭୂମି ରାସ୍ତାଘାଟ ଜନଶୂନ୍ଯ ହୋଇପଡିଛି । କାଁ ଭାଁ ଲୋକ ମାନେ ଯାଆଆସ କରୁଥିବା ବେଳେ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କ ସଂଖ୍ୟା ମଧ୍ଯ ହ୍ରାସ ପାଇଛି । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ